ମୁମ୍ବାଇ ୨୪ା୯:୨୦୨୭ ଓସ୍କାର ଦୌଡ଼ରେ ଦ୍ୱିତୀୟ ଭାରତୀୟ ଚଳଚ୍ଚିତ୍ର ଭାବେ ସ୍ଥାନ ପାଇ ଇତିହାସ ରଚିଛି ନାଗାଲାଣ୍ଡର କୋନ୍ୟାକ ଭାଷାର ଫିଲ୍ମ ‘ଅଙ୍ଘ’। ଭାରତ ପକ୍ଷରୁ ମରାଠୀ ଫିଲ୍ମ ‘ଗୋନ୍ଧଲ’କୁ ଅଫିସିଆଲ ଏଣ୍ଟ୍ରି ମିଳିଥିବା ବେଳେ ‘ଅଙ୍ଘ’ ଏକ ସ୍ବତନ୍ତ୍ର ନିୟମ ବଳରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଟିଆଇଏଫ୍ଏଫ୍)ରେ ସମ୍ମାନଜନକ ‘ପ୍ଲାଟ୍ଫର୍ମ ପ୍ରାଇଜ’ ଜିତି ଏହି ଚଳଚ୍ଚିତ୍ରଟି ସିଧାସଳଖ ଓସ୍କାର ଦୌଡ଼ରେ ସାମିଲ ହୋଇଛି।
ନାଗାଲାଣ୍ଡର ନିର୍ଦ୍ଦେଶକ ଥେଜା ରିଓଙ୍କ ଦ୍ୱାରା ନିର୍ମିତ ଏହି ବହୁଚର୍ଚ୍ଚିତ କ୍ଷୁଦ୍ର ଚଳଚ୍ଚିତ୍ରଟି ୧୯୬୩ ମସିହାର ଗ୍ରାମୀଣ ନାଗାଲାଣ୍ଡର ପୃଷ୍ଠଭୂମି ଉପରେ ଆଧାରିତ। କୋନ୍ୟାକ ନାଗା ସମ୍ପ୍ରଦାୟର ଗୌରବମୟ ସଂସ୍କୃତି, ବିଶ୍ୱାସ ଏବଂ ପରିବର୍ତ୍ତିତ ସମାଜ ମଧ୍ୟରେ ସଂସ୍କୃତି ହରାଇବାର ଗଭୀର ଯନ୍ତ୍ରଣାକୁ ଏହି କାହାଣୀରେ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଚିତ୍ରଣ କରାଯାଇଛି। କାହାଣୀର ମୁଖ୍ୟ ଚରିତ୍ର ହେଉଛନ୍ତି ଜଣେ ବୃଦ୍ଧ ଗ୍ରାମମୁଖିଆ ବା ‘ଅଙ୍ଘ’ଏବଂ ତାଙ୍କର ନାବାଳକ ପୁଅ। କୋନ୍ୟାକ ଜନଜାତିରେ ଗ୍ରାମ ମୁଖିଆଙ୍କୁ ‘ଅଙ୍ଘ’ କୁହାଯାଏ। ସେମାନେ ନିଜ ଗ୍ରାମର ଶେଷ ପରିବାର, ଯେଉଁମାନେ ଆଧୁନିକ ଧର୍ମାନ୍ତରଣ ଓ ସାମାଜିକ
ପରିବର୍ତ୍ତନକୁ ଗ୍ରହଣ ନ କରି ନିଜର ପାରମ୍ପରିକ ଜୀବନଶୈଳୀ, ବିଶ୍ୱାସ ଓ ଆଦିମ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି।
୧୯୬୦ ଦଶକରେ ଆସାମ-ନାଗାଲାଣ୍ଡ ସୀମାନ୍ତ ଗ୍ରାମଗୁଡ଼ିକରେ ବ୍ୟାପକ ସାମାଜିକ ଓ ଧାର୍ମିକ ପରିବର୍ତ୍ତନ ଘଟୁଥାଏ। ଗ୍ରାମର ଅଧିକାଂଶ ଲୋକ ନିଜର ପୁରୁଣା ଆଦିମ ପରମ୍ପରାକୁ ଛାଡ଼ି ନୂତନ ଧର୍ମ ଓ ଜୀବନଶୈଳୀ ଆପଣାଇ ସାରିଥାନ୍ତି। ମାତ୍ର ବୃଦ୍ଧ ଅଙ୍ଘ ନିଜ ପୂର୍ବପୁରୁଷଙ୍କ ଦାୟାଦ ଓ ଆଦିମ ପ୍ରଥାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଗ୍ରାମବାସୀଙ୍କଠାରୁ ଅଲଗାହୋଇ ଏକାକୀ ରହୁଥିବା ସତ୍ତ୍ୱେ ବୃଦ୍ଧ ଅଙ୍ଘ ନିଜ ପୁଅକୁ ନିଜର ପ୍ରାଚୀନ ସଂସ୍କୃତି ଓ ସଂସ୍କାର ବିଷୟରେ ଶିକ୍ଷା ଦିଅନ୍ତି। ନିଜର ପରମ୍ପରା, ଗୌରବ ଓ ଆତ୍ମସମ୍ମାନକୁ ରକ୍ଷା କରିବା ପାଇଁ ବାପପୁଅଙ୍କର ଏହି ନୀରବ ସଂଘର୍ଷ ଏବଂ ମାନସିକ ଦ୍ୱନ୍ଦ୍ୱକୁ ନେଇ କାହାଣୀଟି ଆଗକୁ ବଢ଼ିଥାଏ। ‘ଅଙ୍ଘ’ କେବଳ ଜଣେ ବୃଦ୍ଧଙ୍କ କାହାଣୀ ନୁହେଁ, ବରଂ ସମୟର ସ୍ରୋତରେ ଲୁପ୍ତ ହୋଇଯାଉଥିବା ଆଞ୍ଚଳିକ ପରମ୍ପରା, ନିଜର ସତ୍ତା ବଞ୍ଚାଇବାର ବ୍ୟାକୁଳତା ଏବଂ ଗୋଟିଏ ସମ୍ପ୍ରଦାୟର ଐତିହାସିକ ସଂକଟର ଏକ ନିଖୁଣ ସିନେମାଟିକ ପ୍ରତିଫଳନ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ପ୍ରସିଦ୍ଧ ସ୍କଟିସ୍ ଅଭିନେତା ଡଗ୍ଲାସ୍ ହେନ୍ସଲ ଏବଂ ନାଗାଲାଣ୍ଡର ସ୍ଥାନୀୟ କଳାକାର ଅଙ୍ଘଲୋଙ୍ଗ କୋନ୍ୟାକ ଅଭିନୟ କରିଛନ୍ତି। ଏଥିସହ ସୋବିନୋ ରେଙ୍ଗମା ଓ ଗେନପାଇ କୋନ୍ୟାକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସାଗର ଦେଶାଇ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସମ୍ପୂର୍ଣ୍ଣ ଚଳଚ୍ଚିତ୍ରକୁ ବାସ୍ତବ ରୂପ ଦେବା ପାଇଁ ୧୬ଏମ୍ଏମ୍ ଫିଲ୍ମରେ ଶୁଟିଂ କରାଯାଇଛି, ଯାହା ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ ଆଣିଦେଇଛି।