ଅସ୍ବାସ୍ଥ୍ୟକର ପରିବେଶରେ ଅଙ୍ଗନଓ୍ବାଡି କେନ୍ଦ୍ର

ଝାରସୁଗୁଡ଼ା ଅଫିସ,୨୭ା୧୧: ଝାରସୁଗୁଡା ପୌରପରିଷଦ ୬ନଂ ଓ୍ବାର୍ଡ ଏକତାଳି ଗ୍ରାମର ମଝାପଡାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ା ଗ୍ରାମର ରାସ୍ତା ପାର୍ଶ୍ୱରେ କେନ୍ଦ୍ର ରହିଥିବାବେଳେ ଏହା ସମ୍ମୁଖରେ କୁଢ କୁଢ ମଇଳା ଗଦା ହେଉଛି। ଏହା ପଚିଯିବା ଫଳରେ ଦୁର୍ଗନ୍ଧ ହେଉଛି।

ଫଳରେ ଲୋକେ ଏହି ରାସ୍ତାରେ ଗଲେ ନାକରେ ହାତଦେଇ ଯାଉଛନ୍ତି। କେନ୍ଦ୍ରକୁ ଆସୁଥିବା କୁନି କୁନି ପିଲାମାନେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ଅଙ୍ଗନଓ୍ବାଡି ଶିକ୍ଷୟିତ୍ରୀ ଯାଜ୍ଞସେନୀ ସାହୁ ଏଠାରେ ମଇଳା ନ ପକାଇବାପାଇଁ ଲୋକଙ୍କୁ ବାରଣ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏହି ସ୍ଥାନରେ ପୂର୍ବରୁ ପୌର ପରିଷଦ ତରଫରୁ ମଇଳା ପକାଇବା ପାଇଁ ଡଷ୍ଟବିନ୍‌ ରଖାଯାଉଥିଲା। କିନ୍ତୁ ଏବେ ଏହା ଦେଖିବାକୁ ମିଳୁନାହିଁ। କେନ୍ଦ୍ର ସମ୍ମୁଖରୁ ମଇଳା ଉଠାଇବା ପାଇଁ ସ୍ଥାନୀୟ ଲୋକେ କାଉନସିଲର ଓ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ପୌର ନିର୍ବାହୀ ଅଧିକାରୀ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ଗ୍ରାମର ସଚେତନ ନାଗରିକ ଦାବି କରିଛନ୍ତି।