ଭଡ଼ା ଘରେ ଚାଲିଥିଲା ଅଙ୍ଗନଓ୍ବାଡି: ଟଙ୍କା ନ ଦେବାରୁ କେନ୍ଦ୍ରରେ ପକାଇଲେ ତାଲା

ରାଉରକେଲା,୧୮ା୮(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରାଞ୍ଚଳରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ଭିତ୍ତିଭୂମିର ଅଭାବ ରହିଛି। ଫଳରେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରୁନାହିଁ। ରାଉରକେଲା ସହରରେ ୧୬୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୧୦୭ଟି କେନ୍ଦ୍ର ଭଡା ଘରେ ଚାଲିଥିବା ବେଳେ ୩୧ଟି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲିଛି। ୨୨ଟି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ରହିଛି। ଅନ୍ୟପଟେ ଭଡାରେ ଚାଲିଥିବା କିଛି ଅଙ୍ଗନଓ୍ବାଡି କେନ୍ଦ୍ରର ଭଡା ରାଶି ବିଭାଗ ପକ୍ଷରୁ ପୈଠ ନ ହେବାରୁ ଘର ମାଲିକ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ଫଳରେ ଉକ୍ତ କେନ୍ଦ୍ରର ଶିଶୁମାନେ ଅନ୍ୟ ଏକ କେନ୍ଦ୍ରରେ ପଢୁଛନ୍ତି। ଦୁର୍ଗାପୁର-୩ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଦୀର୍ଘବର୍ଷ ହେଲା ଦୁର୍ଗାପୁର-୩ ଅଙ୍ଗନଓ୍ବାଡି କେନ୍ଦ୍ର ଭଡା ସୂତ୍ରରେ ଚାଲିଆସୁଛି। ବାରମ୍ବାର ଦାବି ସତ୍ତ୍ୱେ ନିଜସ୍ବ କେନ୍ଦ୍ର ନିର୍ମାଣ ହେଉନାହିଁ। ସେହିପରି ୨ମାସ ହେଲା ଭଡା ରାଶି ପୈଠ ହୋଇ ନ ଥିବାରୁ ଘର ମାଲିକ ତାଲା ପକାଇ ଦେଇଛନ୍ତି।

ଏ ନେଇ ରାଉରକେଲା ସିଡିପିଓ ଦର୍ଶନୀ ଏକ୍କାଙ୍କୁ ପଚାରିବାରୁ ସେ କହିଲେ, ମାଲଗୋଦାମ ଏବଂ ଦୁର୍ଗାପୁର ଅଙ୍ଗନଓ୍ବାଡି କେନ୍ଦ୍ର ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରାଇବି। ୧୩୮ ଅଙ୍ଗନଓ୍ବାଡି କେନ୍ଦ୍ର ବିଷୟରେ ମଧ୍ୟ ଜଣାଇସାରିଛି। ଖୁବଶୀଘ୍ର ସହରାଞ୍ଚଳରେ ୨୨ଟି ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହେବ। ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି। ଅସଜଡା କେନ୍ଦ୍ରମାନଙ୍କ ମରାମତି କାର୍ଯ୍ୟ ତୁରନ୍ତ କରାଯିବ ବୋଲି ସିଡିପିଓ ଏକ୍କା କହିଥିଲେ।