ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ଓଡ଼ିଶାର ପ୍ରଶାସନ ଉପରେ କୌଣସି ଫରକ ପଡ଼ି ନ ଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଜି ସନ୍ଧ୍ୟାରାଣୀ ନିଜ ବିଭାଗୀୟ ଅଧିକାରୀ ଏବଂ ପୋଲିସ ଫୋର୍ସ ନେଇ ଓଡ଼ିଶାର ନେରିଡିବାଲସା ଗ୍ରାମରେ ଅନୁପ୍ରବେଶ ସୀମାନ୍ତ ଗ୍ରାମବାସୀଙ୍କୁ ଏକାଠି କରି ବୈଠକ କରିଛନ୍ତି। ଏହିପରି କି ଗ୍ରାମବାସୀଙ୍କ ଦୀର୍ଘବର୍ଷର ଦାବି ଯଥା ଆନ୍ଧ୍ର ରାଜ୍ୟର ଗ୍ରାମ ଦାଣ୍ଡିଗାଁଠାରୁ ଓଡ଼ିଶାର ନେରିଡିବାଲସା ଗ୍ରାମ ପର୍ଯ୍ୟନ୍ତ ଆବଶ୍ୟକ ରହିଥିବା ରାସ୍ତାର ଉନ୍ନତିକରଣ ହୋଇଥିବା ସାଢ଼େ ୫ କିଲୋମିଟର ରାସ୍ତାକୁ ଉଦ୍‌ଘାଟନ କରି ଲୋକଙ୍କ ସ୍ବପ୍ନ ଓ ଦାବିକୁ ପୂରଣ କରିଛନ୍ତି। ଯାହାକି ଉକ୍ତ ରାସ୍ତା ଉନ୍ନତିକରଣ ପାଇଁ ୧ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ସେପଟେ ଉକ୍ତ ମନ୍ତ୍ରୀଙ୍କ ଏହିପରି ଉଦ୍‌ଘାଟନ ଓ ସହଯୋଗକୁ ଓଡ଼ିଶାର ଗଞ୍ଜେଇପଦର, ଫାଟୁସିନେରି, ଫଗୁଣସିନେରି, ତାଡିବାଲସା, ନେରିଡିବାଲସା ସମେତ ଅନ୍ୟ ଗ୍ରାମବାସୀ ପ୍ରଶଂସା କରିବା ସହ ଆମର ଏହି ଦାବି ପୂର୍ବ ସରକାରରେ ରହିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାଜନା ଦୋରାଙ୍କୁ ଏନେଇ ଅନେକ ଦାବି ଜଣାଇଥିଲେ ମଧ୍ୟ ଆମ ଦାବି ପୂରଣ ହୋଇ ପାରି ନ ଥିଲା। ତେଣୁ ବର୍ତ୍ତମାନ ରାସ୍ତା ନିର୍ମାଣ ହୋଇଥିବାରୁ ଆମେ ଅନେକ ସୁବିଧାରେ ଯାତାୟାତ କରି ପାରିବୁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଆମମାନଙ୍କ ଗ୍ରାମରେ ଅନେକ ପରିବାରବର୍ଗ ସରକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବା ବେଳେ ମନ୍ତ୍ରୀ ଏହା ଉପରେ ଦୃଷ୍ଟି ପକାଇ ପଦକ୍ଷେପ ନେବା ପାଇଁ ଉପରୋକ୍ତ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ। ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ପାର୍ବତୀପୁରମ ମାନ୍ୟମ ଜିଲାର ସାଲୁର୍‌ ବିଡ଼ିଓ (ଏମ ପି ଡିଓ ) ଜି ପାର୍ବତୀ ଆମା, ତହସିଲଦାର ( ଏମ ଆର ଓ )ଏମ ସୁରେଶ କୁମାର, ସିଡିପିଓ ମାଙ୍ଗାମାଁ ପ୍ରମୁଖଙ୍କ ସହ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲେ। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ମାଟିରେ ଉପସ୍ଥିତ ରହି ଓଡ଼ିଶାର ପ୍ରଶାସନକୁ ତାତ୍ସଲ୍ୟ କରି ସୀମାନ୍ତବାସୀ କ’ଣ ଚୋର କହି ଓଡ଼ିଶା ପୋଲିସ ଗିରଫ କରୁଛି କାହିଁକି। ଉଚ୍ଚ ନ୍ୟାୟାଳୟ ଟାଟସକୋ ମେନ୍‌ଟେନ୍‌ କରିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଓଡ଼ିଶାର ସରକାରୀ ଅଧିକାରୀ ଏହାକୁ ମାନୁ ନାହାନ୍ତି । ଏଣୁ ଆସନ୍ତା ଦିନରେ ସୀମାନ୍ତବାସୀଙ୍କ ପ୍ରତି ଓଡ଼ିଶା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲେ ମୁଁ କାହାକୁ ଛାଡ଼ିବି ନାହିଁ ବୋଲି କଡ଼ା ଚେତାବନୀ ଦେଇ ନିଜ ରାଜ୍ୟର ପୋଲିସ ଅଧିକାରୀମାନଙ୍କୁ ଏହା ଉପରେ କଡ଼ାକଡ଼ି ଦୃଷ୍ଟି ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ମୋର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ଗଣମାଧ୍ୟମ ପ୍ରତିନିଧିମାନେ କାହିଁକି ରହିଛନ୍ତି କହି ନିଜ ପୋଲିସ ପ୍ରଶାସନକୁ ପ୍ରଶ୍ନ କରିଥିଲେ ମନ୍ତ୍ରୀ ସନ୍ଧ୍ୟାରାଣୀ। ଅନ୍ୟପକ୍ଷରେ ଆନ୍ଧ୍ର ରାଜ୍ୟର ଉକ୍ତ ମନ୍ତ୍ରୀ ଓଡ଼ିଶା ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ ମଧ୍ୟ ଏହାକୁ ପ୍ରତିବାଦ ଏବଂ ପ୍ରତିରୋଧ କରିବା ପାଇଁ ଓଡ଼ିଶାର କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ସେପଟେ ମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶାର ପଟ୍ଟାଙ୍ଗି ପ୍ରଶାସନ କୋଟିଆ ପଞ୍ଚାୟତ ସଦରମହକୁମାରେ ରହି ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ବ୍ୟସ୍ତ ରହିଥିଲା।

Dharitri – Odisha’s No.1 Odia Daily

Share