କୋଟିଆରେ ଭଙ୍ଗା ଯାଇଥିବା ବୋର୍ଡ ପୁନଃସ୍ଥାପନ କଲା ଆନ୍ଧ୍ର: ନିର୍ବାଚନ ପାଇଁ ତତ୍ପରତା ପ୍ରକାଶ କରି…

ପଟ୍ଟାଙ୍ଗି,୨୪ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ପୁଣି ଥରେ ଘନୀଭୂତ ହୋଇଛି। ବିଜେଡି ପ୍ରତିନିଧି ଦଳ ଦ୍ୱାରା ଭଙ୍ଗାଯାଇଥିବା ଆନ୍ଧ୍ରର ତେଲୁଗୁ ବୋର୍ଡ ବା ଫଳକଗୁଡ଼ିକୁ ମାତ୍ର ୨୪ ଘଣ୍ଟା ଭିତରେ ଆନ୍ଧ୍ର ପ୍ରଶାସନ ପୁନଃସ୍ଥାପନ କରିବା ସହ ଅଞ୍ଚଳରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡ଼ିକୁ ଏକ ବିଜେଡି ସଦସ୍ୟ ପ୍ରତିନିଧି ଦଳ ଗସ୍ତ କରିଥିଲେ। ଏହି ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ବିଭିନ୍ନ ତେଲୁଗୁ ଭାଷା ଲିଖିତ ବୋର୍ଡଗୁଡ଼ିକୁ ସେମାନେ ଭାଙ୍ଗି ଦେଇ ଫେରିଥିଲେ।

ବିଜେଡି ନେତାଙ୍କ ଦ୍ୱାରା ବୋର୍ଡ ଭଙ୍ଗାଯିବାର ୨୪ ଘଣ୍ଟା ନ ପୂରୁଣୁ ଶନିବାର ଆନ୍ଧ୍ର ରାଜ୍ୟର ବ୍ଲକ ପ୍ରଶାସନ ଏବଂ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାଲୁର୍‌ ବ୍ଲକ୍‌ର ଏମ୍ପିଡିଓ (ବିଡିଓ) ଜି. ପାର୍ବତୀ, ଏସ୍‌ଏଚ୍‌ଓ ରବୀନ୍ଦ୍ର ରାଜ ଏବଂ କୋଟିଆ ପଞ୍ଚାୟତ ପାଇଁ ନିଯୁକ୍ତ ଆଇଆଇସି (ସିଆଇ) ପି. ରାମ କ୍ରିଷ୍ଣା ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଫାଟୁସିନେରୀ ଗ୍ରାମରେ ପହଞ୍ଚିଥିଲେ।

ଅଧିକାରୀମାନେ ଗ୍ରାମବାସୀଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇ କହିଥିଲେ ଯେ, ଆନ୍ଧ୍ର ସରକାର ସର୍ବଦା ସେମାନଙ୍କ ସାଥୀରେ ଅଛନ୍ତି। ଓଡ଼ିଶାର ଅଧିକାରୀମାନେ ଆସୁଥିବେ ଏବଂ ଯାଉଥିବେ, କିନ୍ତୁ ସେଥିପାଇଁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ନିର୍ବାଚନ ସମୟରେ ତୋନାମ ପଞ୍ଚାୟତରେ ପହଞ୍ଚି ମତଦାନ କରିବାକୁ ଏବଂ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ପରେ ଗ୍ରାମବାସୀଙ୍କ ସହଯୋଗରେ ଭଙ୍ଗାଯାଇଥିବା ବୋର୍ଡଗୁଡ଼ିକୁ ପୁଣି ଥରେ ଲଗାଯାଇଥିଲା।

ଅନ୍ୟପକ୍ଷରେ, ଆସନ୍ତା ୩ ତାରିଖରେ ହେବାକୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ତୋନାମ, କୋଦମା, କୁରୁକୁଟି, ସାରିକା ଏବଂ ଓଡ଼ିଶାର ଗଞ୍ଜେଇପଦର ପ୍ରମୁଖ ପଞ୍ଚାୟତର ବୁଥ୍‌ଗୁଡ଼ିକରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଉକ୍ତ ଅଧିକାରୀମାନେ ଅନୁଧ୍ୟାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗଞ୍ଜେଇପଦର ଗ୍ରାମଟି ଓଡ଼ିଶାର ହୋଇଥିଲେ ମଧ୍ୟ ଆନ୍ଧ୍ର ପକ୍ଷରୁ ଏହାକୁ ନେରିଡିବାଲସା ଗ୍ରାମରେ ଥିବା ଆଇଟିଡିଏ (ITDA) ଗୃହର ବୁଥ୍‌ରେ ୧୦ଟି ଓ୍ବାର୍ଡର ଭୋଟରଙ୍କ ପାଇଁ ମତଦାନ ବ୍ୟବସ୍ଥା କରାଯାଇଛି। ସେହିପରି ଅବଶିଷ୍ଟ ୪ଟି ପଞ୍ଚାୟତ ଆନ୍ଧ୍ର ସୀମା ଭିତରେ ରହିଥିବାବେଳେ କୋଦମା ପଞ୍ଚାୟତରେ ଓଡ଼ିଶାର ଫଗୁଣସିନେରୀ ଗ୍ରାମବାସୀ ମତଦାନ କରିବାର କାର୍ଯ୍ୟକ୍ରମ ରହିଛି।

Dharitri – Odisha’s No.1 Odia Daily

Share