ପଟାଙ୍ଗୀ ପରେ ରାୟଗଡ଼ା ଉପରେ ଆନ୍ଧ୍ରର ନଜର

ରାୟଗଡ଼ା ଅଫିସ,୧୮ା୨: ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଲାଗିରହିଛି। ଓଡ଼ିଶାର କୋରାପୁଟ ଜିଲାର ପଟ୍ଟାଙ୍ଗୀ ସମେତ ଗଞ୍ଜାମ ଓ ଗଜପତି ଜିଲାର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ପକ୍ଷରୁ ବେଆଇନ ନିର୍ମାଣ କାର୍ଯ୍ୟ ଏବଂ ନିର୍ବାଚନ ପ୍ରସଙ୍ଗ ରାଜ୍ୟବାସୀ ଏବଂ ସରକାରଙ୍କୁ ଚିନ୍ତାରେ ପକାଇଛି। ଏଭଳି ପରିସ୍ଥିତିରେ ରାୟଗଡ଼ା ଜିଲା ସୀମାନ୍ତ ଗ୍ରାମରେ ଆନ୍ଧ୍ର ବେଆଇନ ରାସ୍ତା ଏବଂ ପୋଲ ନିର୍ମାଣ କରୁଥିବା ନେଇ ଖବର ଆସିଛି।
ସୂଚନା ଅନୁଯାୟୀ, ରାୟଗଡ଼ା ବ୍ଲକ୍‌ ବୈରାଗିହାଲୁଆ ପଞ୍ଚାୟତରେ ଥିବା ବଡ଼ଲୁକୁଟି ଗ୍ରାମଠାରୁ ମାତ୍ର ୧ କି.ମି. ଦୂରତାରେ ରହିଛି ଆନ୍ଧ୍ରର ଲାଡା ଗ୍ରାମ। ଏହି ଗାଁକୁ ଯିବାକୁ ହେଲେ ଓଡ଼ିଶା ରାସ୍ତା ଦେଇ ଯିବାକୁ ହୁଏ। ତେଣୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତାକୁ ଆନ୍ଧ୍ର ପ୍ରଶାସନ ଚତୁରତାର ସହ ନିର୍ମାଣ କରିଚାଲିଥିଲା। ଫଳରେ ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଖବରପାଇ ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା, ବିଡିଓ ରାଜେନ୍ଦ୍ର ମାଝି, ଆର୍‌ଆଇ ପ୍ରମୁଖ ଗତ ଜାନୁୟାରୀ ୩୦ରେ ଗାଁରେ ପହଞ୍ଚି ଆଲୋଚନା କରି ସମସ୍ୟାର ଆପୋଷ ସମାଧାନ ପାଇଁ ପ୍ରଚେଷ୍ଟା କରିଥିଲେ। ରାସ୍ତା ମାପଚୁପ କରିବା ସମୟରେ ଓଡ଼ିଶାର ୨୦୦ ମିଟର ଜାଗା ରହିଥିବା ଜଣାପଡ଼ିଥିଲା। ଏହି ୨୦୦ ମିଟର ମଧ୍ୟରେ ନାଳଟିଏ ଥିବାରୁ ନାଳ ଉପରେ ଏକ ପୋଲ କରିବାକୁ ନେଇ ଆପୋଷ ବୁଝାମଣା ହୋଇଥିଲା। ସହମତିରେ ଓଡ଼ିଶା ରାସ୍ତା ନିର୍ମାଣ କରିବ ଏବଂ ଆନ୍ଧ୍ର ପୋଲ ନିର୍ମାଣ କରିବାକୁ ସ୍ଥିର ହୋଇଥିବା ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା କହିଛନ୍ତି। ସୀମାନ୍ତ ଜାଗାରେ ନିର୍ମାଣ କାର୍ଯ୍ୟ କିପରି ବିନା ବିବାଦରେ ହୋଇପାରିବ ସେ ନେଇ ସେଠାକାର ସରପଞ୍ଚଙ୍କ ସହ ମଧ୍ୟ ପୂର୍ବରୁ ସାମିଲ କରି ଆଲୋଚନା କରାଯାଇଥିଲା। ବୁଧବାର ପ୍ରଶାସନିକ ଟିମ୍‌ ପୁଣି ସୀମାନ୍ତ ଅଞ୍ଚଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲା ବୋଲି ତହସିଲଦାର କହିଛନ୍ତି।