ବର୍ଷେ ହେଲା ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ରାସ୍ତା

ଗୁଣପୁର,୨୩ା୨: ଓଡ଼ିଶାର ସୀମା ଅସୁରକ୍ଷିତ ହୋଇପଡ଼ିଛି। ଆନ୍ଧ୍ର ଚଞ୍ଚକତା କରି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ମାଡ଼ିଚାଲିଛି। ଓଡ଼ିଶା ସୀମାବର୍ତ୍ତୀ ଗ୍ରାମ ଉପରେ ଆନ୍ଧ୍ରର ଦାଦାଗିରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଯୋଡ଼ିହୋଇଛି ଆଉ ଏକ ଗ୍ରାମ। ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ ମରମା ପଞ୍ଚାୟତର କତାଗଡାଠାରୁ ମାତ୍ର ୨ କି.ମି. ଦୂରେରେ ଥିବା ଇରିଡ଼ି ଘାଟିରେ ଆନ୍ଧ୍ର ରାସ୍ତା ନିର୍ମାଣ କରିଥିବା ଘଟଣା ପଦାକୁ ଆସିଛି। ଆନ୍ଧ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପକ୍କାରାସ୍ତା ନିର୍ମାଣ ହୋଇଛି। ଏହି ରାସ୍ତାର ଅଧିକାଂଶ କାମ ସରିଥିବା ବେଳେ ପିଚୁ କାମ ବାକି ରହିଛି।
ଆନ୍ଧ୍ର ଓଡ଼ିଶାର ୧କି.ମି.ରୁ ଊର୍ଦ୍ଧ୍ୱ ସୀମାନ୍ତ ଜମିରେ ପଶି ରାସ୍ତା ନିର୍ମାଣ କରିଥିବା ଜଣାପଡ଼ିଛି। କଲଭର୍ଟ ନିର୍ମାଣ ସହ ଅଧିକାଂଶ ରାସ୍ତା କାମ ହୋଇସାରିଛି। ପଥର ଫଟାଇ, ଗଛ କାଟି ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେହି ଅଞ୍ଚଳରେ ରାସ୍ତାକାମ ଚାଲିଛି। ହେଲେ ବିଡ଼ମ୍ବନାର ବିଷୟ ହେଲା ଏତେକାଂଶରେ କାମ ସରିଥିଲେ ମଧ୍ୟ ସ୍ଥାନୀୟସ୍ତରରେ କାର୍ଯ୍ୟରତ କ୍ଷେତ୍ର ଅଧିକାରୀ ଯଥା ରାଜସ୍ବ, ପଞ୍ଚାୟତ ଏବଂ ଜଙ୍ଗଲ ବିଭାଗ ଟେର ପାଇଲେ ନାହିଁ। ତେଣୁ ବିଭାଗଗୁଡ଼ିକର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ଗୁଣପୁର ଉପଜିଲାପାଳ ସୋନାଲ୍‌ ଜେନା ଜାଣି ଶନିବାର ସ୍ଥାନୀୟ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସୀମା ସୁରକ୍ଷିତ ରଖିବା ସହ ସୀମା ଫଳକ ଲଗାଇବା ନିମନ୍ତେ ବ୍ଲକ୍‌ ଏବଂ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳଙ୍କ ଗସ୍ତ ପରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଅନ୍ୟପକ୍ଷରେ ସୀମା ସ୍ଥାନରେ ମରମା ପଞ୍ଚାୟତ ପକ୍ଷରୁ ଫଳକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ ଗୁଣପୁର ଉପଜିଲାପାଳ ସୋନାଲ୍‌ ଜେନାଙ୍କୁ ପଚାରିବାରୁ ପ୍ରଶାସନର ଦୋଷ ତୃଟି ଏବଂ ଅବହେଳାକୁ ସ୍ବୀକାର କରିଛନ୍ତି। ଜିଲାପାଳଙ୍କୁ ଫଟୋ ସହ ସମସ୍ତ ତଥ୍ୟ ପଠାଯାଇଥିବା କହିଛନ୍ତି। ତେବେ ଜିଲାପାଳ ଏବଂ ରାଜ୍ୟ ସରକାର ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା।