କୋରାପୁଟ,୨୧ା୧୦(ଅମିତାଭ ବେହେରା): କୋରାପୁଟ ଜିଲାର ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନିର୍ବାଚନ କରାଇବା ଯୋଜନାକୁ ନେଇ ପୁଣି ଥରେ ରାଜ୍ୟରେ ତତ୍ପରତା ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଉଲ୍ଲଂଘନ କରି ଆନ୍ଧ୍ର ସରକାର ଏଭଳି ପଦକ୍ଷେପ ନେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଓଡ଼ିଶା ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଥିବା ଜଣାପଡ଼ିଛି।
ଏହି ମାମଲାରେ ପୂର୍ବରୁ ରୁଜୁ ହୋଇଥିବା ମାମଲାରେ କୋର୍ଟ ଅବମାନନା ଆବେଦନ କରାଯିବ ନା ନୂଆ ମାମଲା ରୁଜୁ ହେବ, ସେନେଇ ଆଡ୍ଭୋକେଟ ଜେନେରାଲ (ଏଜି) ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ କୋଟିଆରସ୍ଥିତି ଅନୁଧ୍ୟାନ ପାଇଁ କୋରାପୁଟ ଉପଜିଲାପାଳ ତଥା ଯୁବ ଆଇଏଏସ ଅଧିକାରୀ ଫବି ରସିଦ ତିନିଦିନିଆ ଗସ୍ତରେ ଯିବେ। ଗସ୍ତ ସମୟରେ ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ଓ ଅଞ୍ଚଳର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବେ।
କୋଟିଆରେ ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗକୁ ନେଇ ଆନ୍ଧ୍ର ବିରୋଧରେ ଆଇନଗତ ଲଢ଼େଇକୁ ଆହୁରି ଜୋର୍ଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏବେ କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।