ପଟ୍ଟାଙ୍ଗି,୩୦।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମା ଭିତରେ ପ୍ରବେଶ କରି ବେଆଇନ ଭାବେ ପ୍ରଚାର କରୁଥିବା ଆନ୍ଧ୍ରପ୍ରଦେଶର ଏକ ପ୍ରଚାର ଗାଡ଼ିକୁ ସ୍ଥାନୀୟ ତହସିଲଦାର ଅଟକ ରଖିବା ସହ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏହାସହ ଓଡ଼ିଶା ସୀମା ମଧ୍ୟରେ ଏପରି ନିୟମ ଉଲ୍ଲଂଘନ ନ କରିବାକୁ ପ୍ରଶାସନ ପକ୍ଷରୁ କଡ଼ା ତାଗିଦ୍ କରାଯାଇଛି।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଟିଡିପି (TDP) ଦଳ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଚିରଞ୍ଜୀବ ତାଡିଙ୍ଗିଙ୍କ ସପକ୍ଷରେ ଏକ ଗାଡ଼ି ସାଇକେଲ ଚିହ୍ନ ଓ ଦଳୀୟ ପତାକା ଲଗାଇ ପଟ୍ଟାଙ୍ଗି ବ୍ଲକ ନୂଆଗାଁ ପଞ୍ଚାୟତର ଗାଲିଗାବଡ଼ା ଆଡ଼କୁ ଆସୁଥିଲା। ଏ ସମ୍ପର୍କରେ ଖବର ପାଇ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, କୋଟିଆ ପଞ୍ଚାୟତର ସ୍ୱତନ୍ତ୍ର ଅଧିକାରୀ (OSD) ସୌରଭ କାନ୍ତ ଦାସ, ପିଇଓ ବଳଭଦ୍ର ପାଢ଼ୀ ଏବଂ ଯନ୍ତ୍ରୀ ପ୍ରସନ୍ନ ଗରଡ଼ା ପ୍ରମୁଖ ଉକ୍ତ ଗ୍ରାମ ନିକଟରେ ପହଞ୍ଚି ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ।
ଯାଞ୍ଚ ସମୟରେ ଗାଡ଼ିରୁ ବିପୁଳ ପରିମାଣର ପ୍ରଚାର ପତ୍ର ମିଳିଥିଲା। ଏହାପରେ ପ୍ରଶାସନିକ ଅଧିକାରୀମାନେ ଗାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ ଗାଡ଼ିଟିକୁ ପଟ୍ଟାଙ୍ଗି ପୋଲିସ ଜିମା ଦେଇଛନ୍ତି। ପୋଲିସ ଏ ନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ତହସିଲଦାର ଧାରୁଆ ପ୍ରକାଶ କରିଛନ୍ତି।
ଓଡ଼ିଶା ପ୍ରଶାସନର ଏହିପରି ଦୃଢ଼ ପଦକ୍ଷେପ ପରେ କୋଟିଆର ଅନ୍ୟ ସୀମାନ୍ତ ଗ୍ରାମଗୁଡ଼ିକରେ ଚାଲିଥିବା ଆନ୍ଧ୍ରର ବେଆଇନ ପ୍ରଚାର କାର୍ଯ୍ୟ ବନ୍ଦ ହୋଇଯାଇଛି। ଏହାକୁ ନେଇ ଆନ୍ଧ୍ରର ସମ୍ପୃକ୍ତ ପ୍ରାର୍ଥୀ, ସମର୍ଥକ ଓ ସୀମାନ୍ତ ଭୋଟରଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି। ଅନ୍ୟପଟେ, ଓଡ଼ିଶା ପ୍ରଶାସନର କଡ଼ା ନଜରକୁ ଦୃଷ୍ଟିରେ ରଖି ନେରିଡିବାଲସା ଗ୍ରାମରେ ଆନ୍ଧ୍ରପ୍ରଦେଶ ନିଜର ମତଦାନ କେନ୍ଦ୍ର କେଉଁଠି ଓ କିପରି କରିବ, ସେ ନେଇ ବିକଳ୍ପ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।