ଓଡ଼ିଶା ଭିତରେ ଆନ୍ଧ୍ର ଦାଦାଗିରି

ପାରଳାଖେମୁଣ୍ଡି,୧୮।୨: ଆନ୍ଧ୍ର ଓଡ଼ିଶାର ଜଳ, ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇବା ସହ କେବେ ସରକାରୀ କଳ ତ ଆଉ କେବେ ନିର୍ବାଚିତ ପ୍ରତିନିଧିଙ୍କୁ ବ୍ୟବହାର କରି ଓଡ଼ିଶା ସୀମାନ୍ତ ଗ୍ରାମରେ ଅସ୍ଥିରତା ସୃଷ୍ଟି କରୁଛି। ଗଜପତି ଜିଲା ସୀମାରେ ଆନ୍ଧ୍ରପ୍ରଦେଶ ତା’ର ସୀମାନ୍ତ ଗ୍ରାମବାସୀଙ୍କୁ ଉସୁକାଇ ଓଡ଼ିଶା ଜମି ଅକ୍ତିଆର କରିବାକୁ ପ୍ରୟାସ ଚଳାଇଛି। ଏହାକୁ ନେଇ ଉଭୟ ରାଜ୍ୟର ଦୁଇ ସୀମାନ୍ତ ଗ୍ରାମବାସୀ ବୁଧବାର ମୁହାଁମୁହିଁ ହୋଇଛନ୍ତି।
ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ନୂଆ ବାରଘର ଓ ଆନ୍ଧ୍ରପ୍ରଦେଶ କୋଣ୍ଡାମେରା ଗ୍ରାମବାସୀ ବୁଧବାର ମୁହାଁମୁହିଁ ହୋଇଥିଲେ। କିଛିଦିନ ହେବ କୋଣ୍ଡାମେରା ଗ୍ରାମବାସୀ ଓଡ଼ିଶା ସୀମା ମଧ୍ୟରେ ପ୍ରବେଶ କରି ବାରଘର ନିକଟରେ ଟ୍ରାକ୍ଟର ଓ ଜେସିବି ସାହାଯ୍ୟରେ ରାସ୍ତା, ପୋଖରୀ, ଖେଳପଡ଼ିଆ ନିର୍ମାଣ ସହ ଚାଷଜମି ସମତୁଲ କରୁଛନ୍ତି। ଉକ୍ତ ଜମି ନୂଆବାରଘର ଗ୍ରାମବାସୀଙ୍କ ହୋଇଥିବା ବେଳେ ସେମାନେ ବୁଧବାର ପହଞ୍ଚତ୍ କାମକୁ ବିରୋଧ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ରାୟଗଡ଼ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ ଓ ଆନ୍ଧ୍ରପ୍ରଦେଶର ଚିପି ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଉପସ୍ଥିତ ଥିଲେ ମଧ୍ୟ ଉଭୟ ଗ୍ରାମବାସୀ ମୁହାଁମୁହଁ ହୋଇଥିଲେ। ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ରାୟଗଡ଼ ତହସିଲଦାର ଲିଳାବତୀ ଆଚାର୍ଯ୍ୟ ଓ ଗାରବନ୍ଧ ପୋଲିସ ପହଞ୍ଚତ୍ ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।