ରାସ୍ତାକାମ କରୁଥିଲା ଆନ୍ଧ୍ର ସିମେଣ୍ଟ, ମିକ୍ସଚର ମେଶିନ ଉଠାଇନେଲା ଓଡ଼ିଶା

କାଶୀନଗର,୨୦ା୨: ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାସ୍ତା ନିର୍ମାଣ ଚଳାଇଥିଲା। ଏଥର କିନ୍ତୁ ସ୍ଥାନୀୟ ପ୍ରଶାସନ ମୁହଁତୋଡ଼ ଜବାବ ଦେଇଛି। ରାସ୍ତା କାମରେ ବ୍ୟବହୃତ ସିମେଣ୍ଟ, ମିକ୍ସଚର ମେଶିନ ଓ ଚିପ୍‌ସ ଆଦି ଜବତ କରିବା ସହ କାମ ବନ୍ଦ କରିଛି। ଏପରି ଘଟଣା ଘଟିଛି ଗଜପତି ଜିଲା କାଶୀନଗର ବ୍ଲକରେ। ଆନ୍ଧ୍ରପ୍ରଦେଶର ଆଳତି ଗ୍ରାମଠାରୁ କାଶୀନଗରର ସିଙ୍ଗିପୁର ଏଫ୍‌ସିଆଇ ଗୋଦାମ ନିକଟ ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ଆନ୍ଧ୍ର ଶ୍ରୀକାକୁଲମ ଜିଲା କତୁରୁ ମଣ୍ଡଳର ସୀତାମ୍‌ପେଟା ଆଇଟିଡିଏ ବିଭାଗ ଦ୍ୱାରା ପକ୍କା ରାସ୍ତା ନିର୍ମାଣ ଚାଲିଥିଲା। ଖବର ପାଇ ଗଜପତି ଉପଜିଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ କାଶୀନଗର ତହସିଲଦାର ଶାନ୍ତିସ୍ବରୂପ ମିଶ୍ର ଓ ଆଇଆଇସି ସୁଶାନ୍ତ କୁମାର ସାହୁ ନିର୍ମାଣସ୍ଥଳରେ ପହଞ୍ଚତ୍ ଥିଲେ। ପରେ କାମରେ ନିୟୋଜିତ ଶ୍ରମିକ ସେଠାରୁ ପଳାଇଯାଇଥିଲେ। ରାସ୍ତା କାମରେ ବ୍ୟବହୃତ ସିମେଣ୍ଟ ମିକ୍ସଚର ମେଶିନ, ସିମେଣ୍ଟ, ଚିପ୍‌ସ ଆଦି ଜବତ କରି କାଶୀନଗର ଥାନାରେ ରଖାଯାଇଛି। ଗଜପତି ସୀମାନ୍ତ ଗଙ୍ଗାବାଡ଼ରେ ନିର୍ବାଚନ କରିବାରେ ବିଫଳ ହେବାପରେ ଆନ୍ଧ୍ର ରାସ୍ତା ନିର୍ମାଣ କରି ଦାଦାଗିରି ଦେଖାଇଛି। ପୂର୍ବରୁ ମଧ୍ୟ ଏଠାରେ ଏକ ବିଶ୍ରାମାଗାର ନିର୍ମାଣ କରି ତେଲୁଗୁ ଭାଷାରେ ଆନ୍ଧ୍ର ଦ୍ୱାରା ନିର୍ମାଣ ବୋଲି ଫଳକ ମରାଯାଇଥିଲା। ଏନେଇ ଉପଜିଲାପାଳ ପଣ୍ଡା କହିଛନ୍ତି, ଘଟଣାସ୍ଥଳରେ ପହଞ୍ଚତ୍ ଯଥାଶୀଘ୍ର ପଥର ପୋତାଯିବା ସହ ଓଡ଼ିଶାର ସୂଚନା ଫଳକ ଲଗାଯିବ।