ଖୁବ୍‌ଶୀଘ୍ର ୨୬୧୯ ଶିକ୍ଷକ ପଦବୀ ପୂରଣ ହେବ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ):ରାଜ୍ୟରେ ଖାଲିଥିବା ୨୬୧୯ ଶିକ୍ଷକ ପଦବୀ ପୂରଣ ହେବ। ଏନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍‌ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବେସରକାରୀ ଅନୁଦାନପ୍ରାପ୍ତ ୨୨୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ୫୫୫ଟି ପିଜିଟି ଶିକ୍ଷକ ପଦବୀ ପୂରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ପୁନଃ ଅନୁଦାନପ୍ରାପ୍ତ ୬୯୧ଟି ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ୨୦୬୪ ପଦବୀରେ ଶିକ୍ଷକ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ପ୍ରବରଣ ଆୟୋଗ(ଏସଏସବି) ପକ୍ଷରୁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ଏସ୍‌ଏସ୍‌ବି ଅଧ୍ୟକ୍ଷ ପ୍ରଫେସର ଦକ୍ଷ ପ୍ରସାଦ ନନ୍ଦ, ସମ୍ପାଦକ ଡ. ମଧୁସୂଦନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟର, ସ୍ବତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ, ଉପନିର୍ଦ୍ଦେଶକ ଭାଗିରଥି କାଣ୍ଡିଙ୍କ ସମେତ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।