କାଶୀପୁରକୁ ଅଭିଜ୍ଞ ଡାକ୍ତର ପଠାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ରେ ଝାଡ଼ାବାନ୍ତି ବ୍ୟାପୀ ଜୀବନ ହାନି ଘଟିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାରଙ୍କ ଦୃଷ୍ଟିଗୋଚର ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ କହିଛନ୍ତି। ଏଥିପାଇଁ ମନ୍ତ୍ରୀ ଶନିବାର ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ)ଙ୍କୁ ତୁରନ୍ତ ସେ ଅଞ୍ଚଳକୁ ଏକ ଅଭିଜ୍ଞ ଡାକ୍ତରୀ ଦଳ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ସହିତ ଏହା କିପରି ରୋକାଯାଇପାରିବ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଏଥିସହ ଆସନ୍ତା ୭୨ଘଣ୍ଟାରେ ଏ ସମ୍ପର୍କିତ ବିସ୍ତୃତ ରିପୋର୍ଟ ସରକାରଙ୍କୁ ଦେବା ପାଇଁ ମନ୍ତ୍ରୀ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।