Categories: ରାଜ୍ୟ

ଜରାଙ୍ଗରେ ହେବ ମୁକ୍ତ ପ୍ରାଣୀ ଉଦ୍ୟାନ

ସମ୍ବଲପୁର,୩୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଧୀନ ଦେବଝରଣ ପର୍ଯ୍ୟଟନ ସ୍ଥଳ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଦେବଝରଣ ଜଳପ୍ରପାତ ନିକଟ ଜରାଙ୍ଗ ଜଙ୍ଗଲ ଅଞ୍ଚଳରେ ମୁକ୍ତ ପ୍ରାଣୀ ଉଦ୍ୟାନ କରିବାକୁ ଯୋଜନା କରାଯାଇଛି। ଜିଲାପାଳ ଶୁଭମ୍‌ ସକ୍‌ସେନାଙ୍କ ନିର୍ଦ୍ଦେଶ କ୍ରମେ ଯୁଯୁମୁରା ତହସିଲଦାର ସୁମନ ମିଞ୍ଜ ଜରାଙ୍ଗ ନିକଟରେ ପ୍ରାୟ ୫୦ ଏକର ଜମି ଚିହ୍ନଟ କରିଛନ୍ତି। ଏଥିରୁ କିଛି ରାଜସ୍ବ ବିଭାଗ ଅଧୀନରେ ଥିବାବେଳେ ଆଉ କିଛି ଜଙ୍ଗଲ ଜମି ରହିଛି। ଜଙ୍ଗଲ ଜମି ପାଇଁ ବନବିଭାଗର ସ୍ବୀକୃତିକୁ ଅପେକ୍ଷା କରାଯାଇଛି।
ଏହି ସମ୍ପର୍କରେ ସମ୍ବଲପୁର ବନଖଣ୍ଡ ଅଧିକାରୀ ଡ. ସଞ୍ଜିତ କୁମାର କହିଛନ୍ତି, ରାଜ୍ୟ ସରକାର ମୁକ୍ତ ଚିଡିଆଖାନା କରିବା ପାଇଁ ଯୋଜନା କରିଛନ୍ତି। ଏହାକୁ ନେଇ ପ୍ରୟାସ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ନଭେମ୍ବର ୧୧ରେ ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ସମ୍ବଲପୁର ଜିଲାପାଳ ଶୁଭମ୍‌ ସକ୍‌ସେନା ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଥିଲେ। ପରେ ଜିଲାପାଳ ଯୁଯୁମୁରା ତହସିଲଦାରଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ।