ଏକାମ୍ର ହାଟରେ ଖୋଲିଲା ମୁକ୍ତ ପାଠାଗାର

ଭୁବନେଶ୍ୱର,୧୫।୧୧ (ବ୍ୟୁରୋ): ଶିଶୁ ଦିବସ ଅବସରରେ ରବିବାର ଏକାମ୍ର ହାଟଠାରେ ମୁକ୍ତ ପାଠାଗାର ଖୋଲିଛି। ବହି ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ବଢାଇବା ପାଇଁ ହସ୍ତଶିଳ୍ପ ବିଭାଗ ଅଧୀନ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଏବଂ ବକୁଳ ଫାଉଣ୍ଡେଶନ ମିଳିତ ଭାବେ ଏହି ପ୍ରୟାସ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ ପାଠାଗାରଟିକୁ ଉଦ୍‌ଘାଟନ କରିଛନ୍ତି।
ଅଭିନବ ଭାବେ ଏହି ମୁକ୍ତ ପାଠାଗାର ସ୍ଥାପନ କରାଯାଇଛି। ପୁରୁଣା ବଡ଼ ରେଫ୍ରିଜରେଟରରେ କାଚ ଲଗାଇ ଏହାକୁ ପୁନର୍ବ୍ୟବହୃତ କରାଯାଇ ପୁସ୍ତକ ରଖିବା ସହ ପାଠାଗାର ସ୍ଥାପନ କରାଯାଇଛି। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରେଫ୍ରିଜରେଟରରେ ପଟ୍ଟଚିତ୍ର କାରୁକାର୍ଯ୍ୟ କରାଯାଇ ଏହାର ଶୋଭା ବର୍ଦ୍ଧନ କରାଯାଇଛି। ପାଠାଗାରରେ ସବୁ ବର୍ଗ ଓ ବୟସର ପାଠକଙ୍କ ନିମନ୍ତେ ଉଭୟ ଇଂଲିଶ ଓ ଓଡିଆ ଭାଷାରେ ପ୍ରାୟ ୨ଶହଟି ପୁସ୍ତକ ରଖାଯାଇଛି। ଏହି ପାଠାଗାର ସ୍ବୟଂଚାଳିତ। ଯେ କୌଣସି ପାଠକ ନିଜେ ପୁସ୍ତକ ଚୟନ କରି ସେଠାରେ ପଢି ପାରିବ। ଏକାମ୍ର ହାଟରେ ଦର୍ଶକମାନେ ବିଭିନ୍ନ ଖାଦ୍ୟ ଷ୍ଟଲରେ ଖାଦ୍ୟର ମଜା ନେବା ସହ ପୁସ୍ତକକୁ ନୂତନ ବନ୍ଧୁ ରୂପେ ପାଇପାରିବେ। ବ୍ୟକ୍ତିବିଶେଷ ଚାହିଁଲେ ପାଠାଗାର ନିମନ୍ତେ ପୁସ୍ତକ ଦାନ ମଧ୍ୟ କରିପାରିବେ ବୋଲି ସୂଚନା ଦିଆଯାଇଛି। ଏକାମ୍ର ହାଟ ପ୍ରତ୍ୟହ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି। ପାଠାଗାର ମଧ୍ୟ ଏହି ସମୟରେ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା, ସିଡାକ୍‌ର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।