ପ୍ରାତଃଭ୍ରମଣରେ ଯାଇଥିବା ବେଳେ ବୃଦ୍ଧଙ୍କ ଗଳାକାଟି ହତ୍ୟା

ବ୍ରହ୍ମପୁର,୧୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଦ୍ବିତୀୟ ଲାଇନ୍‌ରେ ସୋମବାର ଏକ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଛି। ସକାଳୁ ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ଟାଉନ ଥାନା ପୋଲିସ ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଖବର ପାଇ ତାଙ୍କର ଦୁଇ ପୁଅ ରାମ ଓ ସନ୍ତୋଷ ସେଠାରେ ପହଞ୍ଚି ବାପାଙ୍କ ମୃତଦେହ ଚିହ୍ନଟ କରିଛନ୍ତି। ମୃତ ବୃଦ୍ଧ ଜଣଙ୍କ ହେଲେ ବିଜିପୁର ଅମ୍ବିକା ନଗରର ଦ୍ୱିତୀୟ ଲାଇନର ରଙ୍କ ସେଠୀ (୬୭)। ବ୍ରହ୍ମପୁର ଏସ୍‌ପି ଡ. ସର୍ନା ବିବେକ ଏମ୍‌. ଟାଉନ ଥାନାଧିକାରୀ ସୁରେଶ ତ୍ରିପାଠୀ ସେଠାରେ ପହଞ୍ଚିଥିଲେ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୋଲିସ ଛାନ୍‌ଭିନ୍‌ କରୁଛି। ଏପରିକି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଅପରାଧୀଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ ହୋଇଛି।

ଘଟଣାରୁ ପ୍ରକାଶ ଯେ, ପ୍ରତିଦିନ ଭଳି ସୋମବାର ରଙ୍କ ବଡି ଭୋର୍‌ରୁ ନିଜ ଘରୁ ବାହାରି ପ୍ରାତଃ ଭ୍ରମଣରେ ଯାଇଥିଲେ। କିନ୍ତୁ ହଠାତ୍‌ ଏଭଳି ତାଙ୍କର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ରଙ୍କଙ୍କ କାହାରି ସାଥିରେ ଶତ୍ରୁତା ନ ଥିଲା। ତାଙ୍କୁ କିଏ ଓ କାହିଁକି ଏଭଳି ହତ୍ୟା କରିଛି ତାହା ସ୍ପଷ୍ଟ ନ ଥିବା ବେଳେ ପୋଲିସ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।