କରୋନା ପାଇଁ ଅଟକିଛି ତଦନ୍ତ

ଭୁବନେଶ୍ୱର,୧୧।୫(ବ୍ୟୁରୋ:) ଝିଅ ଯୋଗାଇବାକୁ ଜଣେ ସିପାହିଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଆର୍ମ୍‌ଡ ଡିସିପି ବିଜୟ କୁମାର ସାହୁଙ୍କ ନାମରେ ଏପ୍ରିଲ ୫ରେ ଅଭିଯୋଗ ଆସିଥିଲା। ଓଏସ୍‌ଏପି ସିପାହି ନୀହାର ରଞ୍ଜନ ନାୟକଙ୍କ ସ୍ତ୍ରୀ ଓ ପରିବାର ଲୋକେ ଏ ନେଇ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ପୋଲିସ କମିଶନର ଏହାକୁ ଗୁରୁତ୍ୱ ଦେଇ ଅତିରିକ୍ତ କମିଶନର ରେଖା ଲୋହାନୀଙ୍କୁ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମାସେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଆର୍ମ୍‌ଡ ଡିସିପି ବିଜୟଙ୍କ ବିରୋଧରେ ତଦନ୍ତ ସରିପାରି ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତଦନ୍ତ ଏବେ ଅଧାରେ ଅଟକି ରହିଛି। ତେବେ ଏହି ସମୟ ମଧ୍ୟରେ ବିଜୟ ନିଜ ସମର୍ଥକଙ୍କୁ ମତାଉଥିବା ଓ ତଦନ୍ତ ନିଜ ପକ୍ଷକୁ ଟାଣୁଥିବା ଅଭିଯୋଗ ବାରମ୍ବାର ଆସିଥିଲା। ଏବେ ତାଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଆଉ ଏକ ଅଭିଯୋଗ ହୋଇଛି। ସିପାହି ନୀହାରଙ୍କ ଘର ଉପରକୁ ମଦବୋତଲ ଓ ପଥର ଫିଙ୍ଗା ଯାଉଥିବାବେଳେ ଘର ସାମ୍ନାରେ ପାର୍କିଂ କରାଯାଇଥିବା ମୋଟରସାଇକେଲ୍‌ ପୋଡ଼ିବାକୁ ଉଦ୍ୟମ ହୋଇଥିବା ନୀହାରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କେହି ଦୁର୍ବୃତ୍ତ ୯ ତାରିଖ ବିଳମ୍ବିତ ରାତିରେ ତାଙ୍କ ଘର ଉପରକୁ ଇଟା, ପଥର ସହ ମଦବୋତଲ ଫିଙ୍ଗିଥିଲେ। ଏହାର କିଛି ସମୟ ପରେ ଝରକା ପାଖରେ ପେଟ୍ରୋଲ୍‌ ବାସ୍ନା ହେବାରୁ ସେ ଓ ତାଙ୍କ ସ୍ବାମୀ ବାହାରକୁ ଆସି ଦେଖିବାରୁ ବାଇକ ଉପରେ ଘୋଡ଼ାଯାଇଥିବା କପଡ଼ା ଜଳୁଥିଲା। ସେହିପରି ମଦ ବୋତଲ ଭାଙ୍ଗି ଚାରିଆଡ଼େ କାଚ ପଡ଼ିରହିଥିଲା। ଆର୍ମ୍‌ଡ ଡିସିପି ତାଙ୍କ ପରିବାରକୁ ଭୟଭୀତ କରିବାକୁ ଏଭଳି ଚେଷ୍ଟା କରୁଥିବା ସେ ସନ୍ଦେହ କରିଥିଲେ। ଏ ନେଇ ସୋମବାର ସେ ଥାନାରେ ଅଭିଯୋଗ କରିଛନ୍ତି। ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କୁ ପଚରାଯିବାରୁ କହିଛନ୍ତି, ତାଙ୍କ ଘର ଆଗରେ ପଥର ଓ ମଦବୋତଲ ପଡ଼ିଥିବା ଅଭିଯୋଗ ଆସିଛି। ଏ ନେଇ ମାମଲା ରୁଜୁ ହୋଇ ନ ଥିବା ବେଳେ ଆମେ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛୁ। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଥିଲେ ମାମଲା ରୁଜୁ କରାଯିବ। ଅନ୍ୟପକ୍ଷରେ ଆର୍ମ୍‌ଡ ଡିସିପି କହିଛନ୍ତି ଉକ୍ତ ଘଟଣା ସମ୍ପର୍କରେ ସେ କିଛି ଜାଣିନାହାନ୍ତି। ଏସବୁ ଆପଣଙ୍କଠାରୁ ହିଁ ଜାଣିବାକୁ ପାଉଛି। ମୋ’ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଉଛି, ଏଥିରେ ମୋର କୌଣସି ଦୋଷ ନାହିଁ। ଅନ୍ୟପକ୍ଷେ ପୂର୍ବରୁ ଆର୍ମ୍‌ଡ ଡିସିପି ବିଜୟଙ୍କ ଘଟଣାରେ ତଦନ୍ତ କରୁଥିବା ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀଙ୍କୁ ପଚାରିବାରୁ କହିଛନ୍ତି, କରୋନା ପାଇଁ ତଦନ୍ତ ଅଧାରେ ଅଟକିଛି। ଖୁବ୍‌ଶୀଘ୍ର ଏହାର ତଦନ୍ତ କରାଯାଇ ପୋଲିସ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯିବ।