ପରିଚୟ ନିକଟରେ ଅଟକିଯାଉଛି ତଦନ୍ତ

ଭୁବନେଶ୍ୱର,୧୮।୩(ବ୍ୟୁରୋ):ଜଟଣୀ ଥାନା ଅନ୍ତର୍ଗତ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍‌ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାର ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ପରିଚୟ ଖୋଜି ପାଉନି। ମାସେ ଧରି ଘଟଣାକୁ ଚାପି ଦେଇଥିବାରୁ ଖୋଦ୍‌ ପୋଲିସ ସନ୍ଦେହ ଘେରକୁ ଆସିଛି। ସତକୁ ସାମ୍ନାକୁ ଆଣି ଖାକିରୁ ଦାଗ ଛଡ଼ାଇବା ପାଇଁ ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିଥିଲେ ମଧ୍ୟ ପରିଚୟ ନିକଟରେ ସବୁକିଛି ଅଟକି ଯାଉଛି। ବୁଧବାର ଡିସିପି ଉମାଶଙ୍କର ଦାଶଙ୍କ ସମେତ ତଦନ୍ତକାରୀ ଅଫିସର ବନିତା ମହାରଣା ଯଁାଳା ଫାଣ୍ଡି ଆଖପାଖ ବସ୍ତି ଓ ଅଞ୍ଚଳକୁ ଯାଇ ଲୋକଙ୍କୁ ପଚରାଉଚରା କରିଛନ୍ତି। ପୋଲିସ ସ୍ଥାନୀୟ ଲୋକଙ୍କୁ ସମ୍ପୃକ୍ତ ମହିଳାଙ୍କ ବୟସ, ଉଚ୍ଚତା, ଜବତ ଡ୍ରେସ୍‌ ସମ୍ବନ୍ଧରେ ଜଣାଇଥିଲେ ମଧ୍ୟ କେହି କିଛି କହିପାରୁନାହାନ୍ତି। ତେବେ ପୋଲିସ ପ୍ରତିଦିନ ବିଭିନ୍ନ ଅଞ୍ଚଳକୁ ଯାଇ ଅଧିକରୁ ଅଧିକ ଲୋକଙ୍କୁ ପଚରାଉଚରା କରିବ ବୋଲି ଡିସିପି ଦାଶ କହିଛନ୍ତି।
ଅନ୍ୟପକ୍ଷରେ କଙ୍କାଳ ମୁଖମଣ୍ଡଳର ସ୍କେଚ୍‌ ଆସିବା ବିଳମ୍ବ ହେଉଥିବା ଜଣାପଡିଛି। ଏହାକୁ ପୋଲିସ ଚାତକ ପରି ଚାହିଁ ବସିଛି। ବେଙ୍ଗାଲୁରୁର ଏକ ଲ୍ୟାବରେ ମହିଳାଙ୍କ ସମ୍ଭାବ୍ୟ ସ୍କେଚ୍‌ର ରଫ୍‌ ପ୍ରସ୍ତୁତ ହୋଇସାରିଛି। ପୂରା ଚିତ୍ର ପ୍ରସ୍ତୁତ କରାଯାଇ ଖୁବ୍‌ଶୀଘ୍ର ଆସିବ ବୋଲି ଡିସିପି ସୂଚନା ଦେଇଛନ୍ତି। ସେହିପରି ଘଟଣା ସମ୍ବନ୍ଧରେ ଫାଣ୍ଡିର କେତେଜଣ ପୋଲିସ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ଏଥିସହିତ ଜଟଣୀ ଥାନାଅଧିକାରୀ ଓ ନିଲମ୍ବିତ ଜାଁଳା ଫାଣ୍ଡି ଅଧିକାରୀଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି।
ସୂଚନା ଅନୁଯାୟୀ, ୨୦୧୯ରେ ଗଞ୍ଜେଇ ଚାଲାଣବେଳେ ଭୁବନେଶ୍ୱର ଯାଁଳା ଫାଣ୍ଡି ଅଞ୍ଚଳରେ କୋରାପୁଟ ପୋଲିସ ଚଢ଼ାଉ କର ିଏକ କାର୍‌କୁ ଜବତ କରିଥିଲା। ଉକ୍ତ କାର୍‌ ସେବେଠାରୁ ଫାଣ୍ଡି ପରିସରରେ ପଡ଼ି ରହିଥିବାବେଳେ ମାଲିକ ବିପିନ କୋର୍ଟ ଅର୍ଡର ଧରି ଫେବୃୟାରୀ ୧୨ରେ ଗାଡ଼ି ନେବାକୁ ଫାଣ୍ଡିକୁ ଆସିଥିଲେ। ଏହି ସମୟରେ ତାଙ୍କ କାର୍‌ରେ ଏକ ନରକଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ। ଇତିମଧ୍ୟରେ କଙ୍କାଳ ଚିହ୍ନଟ ପାଇଁ ଡିଏନ୍‌ଏ ଟେଷ୍ଟ କରିବାକୁ ପୋଲିସର ଦାନ୍ତ, ହାଡ଼, ନଖ ଓ ଚୁଟି ନମୁନା ରାଜ୍ୟ ଫରେନ୍‌ସିକ ଲାବକୁ ପଠାଯାଇଛି।