ଏକ ଅଭିନବ ସଂକଳ୍ପ

ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ
ପ୍ରତିବର୍ଷ ପରି ଏଥର ବି ଆଉ ଥରେ ନୂଆବର୍ଷ ଆସିଛି। ମହାକାଳର ଅନନ୍ତ ଅବଧି ମଧ୍ୟରେ ତଥା ପ୍ରକୃତିର ନିରନ୍ତର ପ୍ରବାହ ଭିତରେ ଦିନ, ମାସ ବା ବର୍ଷର ଗଣନା ମୂଲ୍ୟହୀନ ହେଲେ ହେଁ ମଣିଷର ବ୍ୟାବହାରିକ ମାପଦଣ୍ଡରେ ଗଲାବର୍ଷଟି ପୁରୁଣା ହୋଇ ଦୁଇଦିନ ତଳେ ଆମ କ୍ୟାଲେଣ୍ଡରରୁ ବିଦାୟ ନେଇଛି ଓ ତାହାର ସ୍ଥାନ ନେଇଛି ସଂଖ୍ୟାର ଏକକରେ ନାମିତ ନୂଆ ଏକ ବର୍ଷ, ଯାହାକୁ କେତେକ ଆଧୁନିକ ଲୋକେ ଶ୍ରଦ୍ଧାରେ ଡାକୁଛନ୍ତି ‘ଟ୍ବେଣ୍ଟି ଟ୍ବେଣ୍ଟି ଟୁ’। ପ୍ରତିଥର ବର୍ଷଟିଏ ନୂଆ ହୋଇ ଆସେ ଓ ଦିନ କେଇଟା ମଧ୍ୟରେ ନିଜର ନୂତନତ୍ୱର ଆବରଣଟିକୁ ଫିଙ୍ଗି ଦେଇ ପୁରୁଣା ହୋଇ ଚାଲିଯାଏ। କିଏ ଜଣେ କହିଥିଲେ ପରା ‘ଜୀବନ ଆଗକୁ ବଞ୍ଚାଯାଏ ସିନା, ପଛକୁ ଫେରି ଚାହିଁଲେ ଜୀବନକୁ ଭଲ ଭାବେ ବୁଝି ହୁଏ।’ ସୁତରାଂ ଚାଲିଯାଇଥିବା ବର୍ଷଟି ସମ୍ପର୍କରେ ସମୀକ୍ଷା ଭିତରୁ ଯଦି ନୂଆବର୍ଷଟିକୁ ଆବାହନ କରାଯାଉଥାଆନ୍ତା, ତେବେ ଅଧିକ ଅର୍ଥପୂର୍ଣ୍ଣ ହୁଅନ୍ତା ନବବର୍ଷର ନବୀନତ୍ୱ। ପୁରୁଣା ବର୍ଷଟିରେ ଯାହା ଥିବାରୁ ବା ନ ଥିବାରୁ ବର୍ଷଟି ସୁଖପ୍ରଦ ହୋଇପାରି ନ ଥିଲା, ସେ ସମ୍ପର୍କରେ ମଣିଷ ସଚେତନ ହୁଅନ୍ତା ଓ ତଦନୁଯାୟୀ ନୂଆବର୍ଷଟିକୁ ନୂଆ ରୂପରେ ସଜାନ୍ତା! ମାତ୍ର ଏମିତି କିଛି ହୁଏନା। ‘ଗତସ୍ୟ ଶୋଚନା ନାସ୍ତି’ ନ୍ୟାୟରେ ପୁରୁଣା ବର୍ଷଟିର ସ୍ମୃତି ରୋମନ୍ଥନ କରିବାକୁ ଏକ ଅର୍ଥହୀନ ବୃଥା କସରତ ବୋଲି ମନେ କରାଯାଇ ଅତୀତକୁ ଅଳିଆଗଦାରେ ଫିଙ୍ଗି ଦିଆଯାଏ ଓ ଆବାହନ କରାଯାଏ ନବକଳେବରଧାରୀ ନୂଆବର୍ଷର ଆଗମନକୁ!
ଏ ଆବାହନର ସ୍ବରୂପ ବି ବିବିଧବର୍ଣ୍ଣା। ପୁରୁଣାବର୍ଷର ଶେଷ ସନ୍ଧ୍ୟାଟି ସଜ୍ଜିତ ହୋଇଥାଏ ବହୁବିଧ ଆଲୋକମାଳାରେ। ସେଇ ଈପ୍‌ସିତ ‘ଶୂନ୍ୟ ଘଟିକା’ ବା ‘ଜିରୋ ଆଓ୍ବାର’କୁ ପ୍ରତୀକ୍ଷା କରାଯାଏ ବିଭିନ୍ନ ବ୍ୟବସ୍ଥା ମଧ୍ୟରେ। ବଡ଼ ବଡ଼ ନଗରୀରେ ହୋଟେଲ ବା କ୍ଲବଗୁଡ଼ିକରେ ଜମିଯାଏ ନୃତ୍ୟଗୀତର ଆସର ତ ଛୋଟ ଛୋଟ ସହର ବା ଗଁାଗୁଡ଼ିକରେ ଭୋଜିଭାତର ଆଖଡ଼ା। ପୁରୁଣା ବର୍ଷଟିର ଅବଗଣନା ଆରମ୍ଭ ହୋଇଯାଏ ମିନିଟ୍‌ ଓ ସେକେଣ୍ଡର ଏକକରେ ଓ ସେଇ ବାଞ୍ଛିତ ଶୂନ୍ୟ ଘଟିକା ଅପସରିଯାଏ ଅତି ନୀରବରେ। ବାସ୍‌ ତା’ପରେ ବାଣ ରୋଶଣିରେ ନବବର୍ଷର ପ୍ରଥମ ମୁହୂର୍ତ୍ତଟି ଜନ୍ମନିଏ।
ମାତୃଗର୍ଭରୁ ଭୂମିଷ୍ଠ ହୋଇ ସଂସାରର ପ୍ରଥମ ଆଲୋକ ଦେଖୁଥିବା ନବଜାତକର ଲଲାଟରେ ଯେମିତି ଅଦୃଶ୍ୟ ଭାବେ ଅଙ୍କିତ ହୋଇଥାଏ ଷଠୀଦେବୀଙ୍କ ବରଦାନ, ସେମିତି ନବବର୍ଷଟିଏ ମହାକାଳ ଗର୍ଭରୁ ଜନ୍ମ ନେବା ପୂର୍ବରୁ ତାହା ବ୍ୟକ୍ତି ପାଇଁ, ଜାତି ପାଇଁ
ବା ସମଗ୍ର ବିଶ୍ୱ ପାଇଁ କେମିତି ହେବ, ତାହାର ଏକ ରୂପରେଖ ଅନୁଚ୍ଚାରିତ ଭାବେ ତିଆରି ହୋଇ ସାରିଥାଏ ସେଇ ଅଦୃଷ୍ଟ ସ୍ରଷ୍ଟାଙ୍କ ଦ୍ୱାରା। ପୁରୁଣା ବର୍ଷର କଳୁଷ କାଳିମାକୁ କବର ଦେଇ ନୂଆବର୍ଷଟିକୁ ନୂଆ ରୂପରେ ଗଢ଼ିବା ପାଇଁ ବ୍ୟକ୍ତି ଭିତରେ ମୁଣ୍ଡ ଟେକେ ଏକ ଦୁର୍ବାର ଆତ୍ମପ୍ରତ୍ୟୟ। ସଂକଳ୍ପଚ୍ୟୁତି ହେବାର ଦୁର୍ବଳତା ବା ଶପଥ ଭଙ୍ଗକାରୀ ବିବଶତା ମଧ୍ୟରୁ ମୁକ୍ତ ହେବାକୁ ନିଜ ଭିତରେ ଏକ ପ୍ରତିବଦ୍ଧତା ସୃଷ୍ଟି କରାଯାଏ। ପୁଣି ଆଗାମୀ ବର୍ଷଟିର ପ୍ରତ୍ୟେକ ମୁହୂର୍ତ୍ତ ନିଜ ପାଇଁ ବା ଅତିବେଶିରେ ନିଜ ପରିବାର, ବନ୍ଧୁବର୍ଗ ବା ଆତ୍ମୀୟ ସ୍ବଜନଙ୍କ ପାଇଁ ଶୁଭଙ୍କର ହେଉ ବୋଲି ନିଜ ଇଷ୍ଟଦେବଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ପେସ୍‌ ହୁଏ।
ମଦ, ଗଞ୍ଜା ବା ଗୁଟ୍‌ଖା ଆଦି ପ୍ରାଣଘାତକ ବଦଭ୍ୟାସରୁ ନିଜକୁ ମୁକ୍ତ କରିବାକୁ ନୂଆବର୍ଷର ଅବ୍ୟବହିତ ପୂର୍ବରୁ ନିଶାଗ୍ରସ୍ତମାନେ ଶପଥ ନିଅନ୍ତି। ନିଜ ବିଶାଳ ବପୁକୁ ଚର୍ବିମୁକ୍ତ କରିବାକୁ ବାଇକ୍‌ ବଦଳରେ ସାଇକେଲରେ ଅଫିସ୍‌ ଯିବାକୁ ବା ନୈତିକତାର ଆହ୍ବାନରେ ଅଫିସ୍‌ କାର୍ଯ୍ୟ କରି କେବେ କାହାଠାରୁ ଲାଞ୍ଚ ନ ନେବାକୁ ନୂଆବର୍ଷ ଆରମ୍ଭ ଦିନକୁ ଏକ ଲକ୍ଷ୍ମଣଗାର ଭାବେ ଗ୍ରହଣ କରି ବଜ୍ର ଶପଥଟିଏ ନେଇଥା’ନ୍ତି ସରକାରୀ କର୍ମଚାରୀ। ସେହିପରି ନୂଆବର୍ଷ ଆରମ୍ଭରୁ ଜୀବନର ଅବଶିଷ୍ଟ କାଳଯାଏ ମିଛ ନ କହିବାକୁ ନିଜ ପାଖରେ ପ୍ରତିଜ୍ଞାବଦ୍ଧ ହୋଇଥା’ନ୍ତି କେହି ଅଭ୍ୟାସଗତ ମିଥ୍ୟାବାଦୀ। ପୁଣି ପ୍ରତିଦିନ ପ୍ରଭାତରେ ଘଣ୍ଟାଏ ଚାଲିବା ଓ ଆଉ ଘଣ୍ଟାଏ ଯୋଗାଭ୍ୟାସ କରିବା ବା ଆମିଷ ପରିତ୍ୟାଗ କରି ନିରାମିଷ ବ୍ୟଞ୍ଜନ ସେବନ କରିବା ଭଳି ବହୁବିଧ ବ୍ୟାବହାରିକ ସଂକଳ୍ପମାନଙ୍କର ଜନ୍ମହୁଏ ଏଇ ନବବର୍ଷ ଜନ୍ମ ନେବାର କିଛିଦିନ ପୂର୍ବରୁ।
ଅଥଚ କେଡ଼େ କଥା ନ ହୁଅନ୍ତା, ଯଦି ଏଭଳି ସଂକଳ୍ପ ମଧ୍ୟରେ କେଇଟି କିଛିକାଳ ପାଇଁ ଜୀବନ୍ତ ରହନ୍ତା! ନବବର୍ଷର ସଂକଳ୍ପ ମଧ୍ୟରେ ପ୍ରତିଫଳିତ ହୁଅନ୍ତା ଆତ୍ମ ସଂଶୋଧନର ପ୍ରତିବଦ୍ଧତା। କେବଳ ଜଣେ ବ୍ୟକ୍ତିର ବ୍ୟକ୍ତିସତ୍ତା ନୁହେଁ, ବ୍ୟକ୍ତିର ସମଷ୍ଟିରୁ ଗଠିତ ସମାଜର ଚିତ୍ର ଓ ଚରିତ୍ରରୁ ଅପସରିଯାଆନ୍ତା ଆତ୍ମ ପ୍ରବଞ୍ଚନାର କଳୁଷତା। ପ୍ରତ୍ୟେକ ନୂଆବର୍ଷ ଆସନ୍ତା ବ୍ୟକ୍ତି ଚେତନାର ଶୁଦ୍ଧ ସ୍ବରୂପ ନେଇ, ଏକ ସଂଶୋଧିତ ସଂସ୍କରଣ ହୋଇ, ଏକ ଅସୁସ୍ଥ ସମାଜର ସଞ୍ଜୀବନୀ ଶକ୍ତି ହୋଇ। ମାତ୍ର ବିଡ଼ମ୍ବନାର ବିଷୟ, ଏମିତି ହୁଏନାହିଁ। ମଦମାଂସ, ନାଚଗୀତ ବା ବାଣରୋଶଣିର ବର୍ଣ୍ଣାଢ଼୍ୟ ଉତ୍ସବ ମଧ୍ୟରେ ନବବର୍ଷର ସଂକଳ୍ପ ଅଳ୍ପାୟୁ ହୋଇ ମହାଶୂନ୍ୟରେ ମିଳାଇଯାଏ। ଏକ ଶୁଦ୍ଧ ଓ ସମୃଦ୍ଧ ଜୀବନ ପାଇଁ ନୂଆବର୍ଷର ସଂକଳ୍ପ କେବଳ ଆତ୍ମ ପ୍ରବଞ୍ଚନାର ପ୍ରହସନରେ ପରିଣତ ହୁଏ।
ତେବେ ନୂଆବର୍ଷର ଶପଥ ଓ ଶପଥଭଙ୍ଗ ମଧ୍ୟରେ ଲାଳିତ ହୋଇ ଆସୁଥିବା ନୂଆବର୍ଷ ଗତ ଦୁଇବର୍ଷ ହେଲା ଘାତକ ମହାମାରୀ କରୋନା କବଳରେ ପଡ଼ି ନିଜ ରଙ୍ଗ ହରାଇ ବସିଛି। ଚାରିଆଡ଼େ ଖାଲି ଭୟ, ଆତଙ୍କ ଓ ସତର୍କତା ପାଇଁ ସରକାରୀ ଅଙ୍କୁଶ। ମଣିଷର ସକଳ ଜ୍ଞାନବିଜ୍ଞାନକୁ ଗୋଟିଏ ଫୁତ୍କାରରେ ଉଡ଼ାଇ ଦେଇ ଗତ ଦୁଇବର୍ଷ ହେଲା ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ଗୋଟିଏ ସାମାନ୍ୟ ଭୂତାଣୁ ପାଖରେ ମଣିଷ କେଡ଼େ ଅସହାୟ ସତେ! ଆନନ୍ଦ ଗୋଟାଇବାର ସ୍ବାଧୀନତା ଆଜି ସଙ୍କୁଚିତ। ନୂଆବର୍ଷକୁ ନିଜ ଢଙ୍ଗରେ ଆବାହନ କରିବାର ସୁଯୋଗରୁ ମଣିଷ ଆଜି ବଞ୍ଚତ୍ତ।
ଏହି ଆଲେଖ୍ୟଟି ପ୍ରସ୍ତୁତ କରିବାର ଦୁଇଦିନ ପୂର୍ବରୁ ଯେତେବେଳେ ନୂଆବର୍ଷ ପାଳନ ଉପରେ ସରକାରୀ କଟକଣା ଖବରଟି ଟେଲିଭିଜନ ପରଦା ଉପରେ ପ୍ରସାରିତ ହେଉଥିଲା, ସେତେବେଳେ ଜଣେ ବନ୍ଧୁଙ୍କ ସହ ଆଳାପରତ ଥିଲା ଏ ଲେଖକ। ଟିଭିରୁ ଘୋଷଣା ଶୁଣି ବନ୍ଧୁଜଣକ ପ୍ରତିକ୍ରିୟା ପ୍ରକାଶ କଲେ, ”ଯାହା ହେଉ ‘ଜିରୋ ଆଓ୍ବାର ସେଲିବ୍ରେଶନ’ ନାଁରେ କୋଟି କୋଟି ଟଙ୍କା ଅପବ୍ୟୟରୁ ରକ୍ଷା ପାଇଗଲା ମଣିଷ!“ ବନ୍ଧୁଙ୍କ କଥାରେ କଥା ଯୋଡ଼ି କହିଥିଲା ଏ ଲେଖକ, ”କେଉଁ ମଣିଷ ରକ୍ଷା ପାଇଗଲା ବୋଲି କହୁଛ ବନ୍ଧୁ? କିଛି ମଣିଷଙ୍କ ସହଜଲବ୍ଧ ଅର୍ଥର ଅପବ୍ୟୟକୁ ସିନା ରୋକାଯାଇପାରିଲା, ହେଲେ ଆଉ କିଛି ମଣିଷଙ୍କ ରୋଜଗାର ବୁଡ଼ିଗଲା, ଯେଉଁମାନେ ନୂଆବର୍ଷକୁ ସ୍ବାଗତ କରିବା ଆଳରେ ଲୋକଙ୍କୁ ଖୁଆଇ, ପିଆଇ ଓ ନଚାଇ ଢେର୍‌ ରୋଜଗାର କରୁଥିଲେ। ସରକାରଙ୍କ ପାଣ୍ଠିକୁ ଆସୁଥିବା ଢେର ରାଜସ୍ବ ବି ହାନି ହୋଇଗଲା।“ ଏଇ ପ୍ରସଙ୍ଗରେ ଦୁଇବନ୍ଧୁଙ୍କ ଆଲୋଚନା ଆଗକୁ ଗଡ଼ୁଥିଲାବେଳେ ତାହା ମଧ୍ୟକୁ ପଶି ଆସିଲେ ଦୁଇ ଭିନ୍ନ ଭିନ୍ନ ଚରିତ୍ର।
ପ୍ରଥମ ଚରିତ୍ର ଜଣେ ଅବସରପ୍ରାପ୍ତ ଅଧ୍ୟାପକ, ଯିଏ ଉଗ୍ର ଆଧୁନିକତା ଭିତରେ ବଞ୍ଚୁଥିବା ନିଜ ପୁଅବୋହୂଙ୍କ ଅନୁରୋଧ ଏଡ଼ାଇ ନ ପାରି ତିନିବର୍ଷ ତଳେ ସପରିବାର ଯାଇଥିଲେ ରାଜଧାନୀର ଏକ ପ୍ରସିଦ୍ଧ ହୋଟେଲକୁ। ଏମିତି ଏକ ‘ଜିରୋ ଆଓ୍ବାର’ ଆସରରେ ଯୋଗ ଦେଇ ନୂଆବର୍ଷକୁ ସ୍ବାଗତ କରିବାକୁ। ନାଚଗୀତ ଓ ଖିଆପିଆର ଏହି ରଙ୍ଗିନ୍‌ ଆସର ତାଙ୍କ ପାଇଁ ଆମୋଦଦାୟକ ହେଲା କି ନାହିଁ ବୋଲି ଜଣେ ବନ୍ଧୁଙ୍କ ପ୍ରଶ୍ନରେ ସେ ପ୍ରତିକ୍ରିୟା ପ୍ରକାଶ କରି ଯାହା କହିଥିଲେ, ତାହା ବେଶ୍‌ ପ୍ରଣିଧାନଯୋଗ୍ୟ। ସେ କହିଥିଲେ, ”ନିମ୍ନତମ ସଂସ୍କାରଠୁ ଦୂରେଇ ଯାଇ ଯେଉଁମାନେ ଯୌବନର ଜୟଗାନ କରିବାକୁ ଏମିତି ଆସରକୁ ବାଛନ୍ତି, ସେମାନଙ୍କର ଏକମାତ୍ର ଲକ୍ଷ୍ୟ ଥାଏ କିଛି ଖଚ୍ଚର୍ର୍ ହୋଇପାରୁ ନ ଥିବା ପୁଳାଏ ଅର୍ଥକୁ ଅକାତରେ ଉଡ଼ାଇ ଦେଇ ଆସିବା। ପୁରୁଣା ବର୍ଷକୁ ବିଦାୟ ଜଣାଇ ନୂଆବର୍ଷକୁ ଆବାହନ କରିବା କେବଳ ଏକ ବାହାନା ମାତ୍ର।“
ଦ୍ୱିତୀୟ ଚରିତ୍ର ବୃତ୍ତିରୁ ଅବସର ନେଇ ଏକ ଅଗ୍ରଣୀ ସମାଜସେବା ସଙ୍ଗଠନ ସହ ନିଜକୁ ସାମିଲ କରିଥିବା ଜଣେ ଡାକ୍ତରଙ୍କ ଅନୁଭବ ବେଶ ମାର୍ମିକ। ଡାକ୍ତରବାବୁ ଗତବର୍ଷ ପୁରୁଣା ଓ ନୂଆବର୍ଷର ସନ୍ଧିକ୍ଷଣକୁ ପାଳନ କରିଥିଲେ ରେଳଷ୍ଟେଶନରେ ଆଶ୍ରୟ ନେଇଥିବା ବୁଲା ଭିକାରିଙ୍କ ମେଳରେ। ନିଜ ନିଜର ଅଭିଶପ୍ତ ଦାରିଦ୍ର୍ୟ ସହ ଲଢ଼ି ଲଢ଼ି ତଥାପି ହାଲିଆ ହୋଇ ନ ଥିବା ସେଇ ଭିକାରିମାନେ ଯେତେବେଳେ ନିଜର ଛିଣ୍ଡା କନାର ସାହାଯ୍ୟ ନେଇ ହାଡ଼ଥରା ଜାଡ଼କୁ ସାମ୍ନା କରୁଥିଲେ, ସେତେବେଳେ ସେମାନଙ୍କ ଉପରେ ନୂଆ କମ୍ବଳ ଘୋଡ଼ାଇ ସେମାନଙ୍କ ଓଠରେ ହସ ଓ ଆଖିରେ ସୁସୁପ୍ତିର ନିଦ ଭରି ଦେଇଥିବାର ସେଇ ମୁଗ୍ଧ, ମହାର୍ଘ୍ୟ ଅନୁଭବ ସେଇ ନୂଆବର୍ଷର ଆଗମନକୁ ଅବଶିଷ୍ଟ ଅନ୍ୟ ନୂଆବର୍ଷର ଅନୁଭବଠାରୁ ବେଶ୍‌ ଭିନ୍ନ କରି ଗଢ଼ି ତୋଳିଥିଲା।
ଏମିତି ସିନା ହୁଅନ୍ତା, ନୂଆବର୍ଷର ସଂକଳ୍ପ ଉପଭୋଗର ଆସର ନ ହୋଇ ଆତ୍ମାର ଆହ୍ବାନ ହୁଅନ୍ତା। ନିଜର ସୁଖ ସ୍ବାଚ୍ଛନ୍ଦ୍ୟ ବାହାରେ ଅନ୍ୟ କାହା ପାଇଁ ସୁଖ ସାଉଁଟିବାରେ ଉଦ୍‌ବେଳନ ସୃଷ୍ଟି କରନ୍ତା ମନ ଓ ହୃଦୟର ବ୍ୟାକୁଳତା। ଏମିତି ହୁଅନ୍ତା, ନବବର୍ଷର ଅବ୍ୟବହିତ ପୂର୍ବରୁ ନିଜ ସହ ମୂଲଚାଲ କରି ଏକ ନିର୍ଦ୍ଦିଷ୍ଟ ସଂକଳ୍ପର ସ୍କେଚ୍‌ ତିଆରି ହୁଅନ୍ତା। ଯେମିତି କି ‘ମୁଁ ଏ ବର୍ଷ ବାରମାସରେ ବାରଟି ବୃକ୍ଷରୋପଣ କରିବି ଓ ବଡ଼ ହେବା ଯାଏ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବି’ କିମ୍ବା ‘ମୁଁ ଏଇ ବର୍ଷଟି ମଧ୍ୟରେ ଦୁଇଥର ରକ୍ତଦାନ କରିବି’ ଅବା ‘ଜଣେ ଦରିଦ୍ର ଛାତ୍ରର ପଢ଼ାଖର୍ଚ୍ଚ ବହନ କରିବି’। କିଛି ନ ହେଲେ ନିଜ ଭିତରେ ମୁଣ୍ଡ ଟେକନ୍ତା ଏକ ଅଭିନବ ସଂକଳ୍ପ ‘ମାସର ସବୁଦିନ ନିଜ ବା ନିଜ ପରିବାର ପାଇଁ ବଞ୍ଚତ୍ କେବଳ ଗୋଟିଏ ଦିନ କେହି ଦୁଃସ୍ଥ, ଦରିଦ୍ର ଅବା ଅସହାୟ ଲୋକର ସେବାପାଇଁ ସମର୍ପିତ ହେବି’। ଏମିତି ହେଲେ କୌଣସି ନୂଆବର୍ଷ ଆଉ କେବେ ବି ପୁରୁଣା ହୁଅନ୍ତା ନାହିଁ। ସଂକଳ୍ପର ପ୍ରତିବଦ୍ଧତା ମଧ୍ୟରେ ପ୍ରତିବିମ୍ବିତ ହୁଅନ୍ତା ଏକ ସଫଳ ଜୀବନର ପ୍ରାଣମୟ ପ୍ରତିବେଦନ। ଆତ୍ମଚେତନାର ଉତ୍ତରଣ ଭଳି ଏକ ମହତ୍ତର ଉପଲବ୍ଧି ମଧ୍ୟରେ ନିନାଦିତ ହୁଅନ୍ତା ସାର୍ଥକ ଜୀବନର ଓଁକାର ଉଚ୍ଚାରଣ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର
ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri