ପୁଣି ଏକ ମାଈହାତୀର ମୃତ୍ୟୁ

ବଣାଇ,୧୭ା୮(ସ୍ବ.ପ୍ର.): ସାରା ରାଜ୍ୟରେ ହାତୀ ମୃତ୍ୟୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ତାମଡ଼ା ରେଞ୍ଜର କୁସୁମଡିହି ସେକ୍ସନର କେନ୍ଦୁଡିହି ନିକଟରେ ବୁଧବାର ପୁଣି ଏକ ମାଈହାତୀର ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ବନବିଭାଗ କର୍ମଚାରୀ ପହଞ୍ଚିଥିଲେ। ଗଣମାଧ୍ୟମ ପହଞ୍ଚିବା ପୂର୍ବରୁ ପ୍ରାଣୀ ଡାକ୍ତରଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ ହୋଇସାରିଥିଲା। ତେବେ ପ୍ରାଥମିକ ତଦନ୍ତରୁ ବାର୍ଦ୍ଧକ୍ୟ ଓ ଦୁଇଦିନ ଲଗାଣ ବର୍ଷା ଯୋଗୁ ହାତୀଟି ନିମୋନିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବନବିଭାଗ ସ୍ପଷ୍ଟ କରିଛି। ଚଳିତ ବର୍ଷ ବଣାଇ ବନଖଣ୍ଡ ଅଞ୍ଚଳରେ ୫ରୁ ଊର୍ଦ୍ଧ୍ୱ ହାତୀଙ୍କ ମୃତ୍ୟୁ ଘଟିଥିବା ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକାଶ କରିଛନ୍ତି।