ବୁଲେଟ ଚକାରେ ଓଢ଼ଣି ଲାଗି ୮ ବର୍ଷର ଝିଅର କଟିଗଲା ହାତ

କେସିଙ୍ଗା,୭।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି। ଏକ ବୁଲେଟ ଚକାରେ ଓଢ଼ଣି ଲାଗି ୮ ବର୍ଷର ଝିଅର ହାତ କଟି ଯାଇଛି।

ବୁଲେଟରେ ସ୍ବାମୀ, ସ୍ତ୍ରୀ ଓ ତାଙ୍କ ୮ ବର୍ଷର ଝିଅ କେସିଙ୍ଗା ପଟୁ ଭବାନୀପାଟଣା ଯାଉଥିଲେ। କୌଣସି କାରଣ ବଶତଃ ଝିଅର ଓଢ଼ଣି ବୁଲେଟ ପଛ ଚକରେ ଲାଗିଯାଇଥିଲା। ଫଳରେ ଛୋଟ ଝିଅର ଡାହାଣ ହାତ କହୁଣୀରୁ ଛିଣ୍ଡି ଦୂରକୁ ଛିଟିକି ପଡ଼ିଥିଲା। ଛିଣ୍ଡି ପଡିଥିବା ହାତକୁ ଏକ ବୁଲା କୁକୁର ଧରି କୁଆଡେ ଦୌଡି ପଳାଇଥିବା ଚର୍ଚ୍ଚା ହେଉଛି। ଉପସ୍ଥିତ ଥିବା ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ।

ଭବାନୀପାଟଣାରୁ ଆମ୍ବୁଲାନ୍ସ ଆସି ଛୋଟ ଝିଅକୁ ଜିଲା ହସ୍ପିଟାଲ ନିଆଯାଇଥିବା ଜଣାପଡିଛି। ବୁଲେଟ ଗାଡ଼ି ଉତ୍କେଲା ଫାଣ୍ଡିରେ ରଖାଯାଇଛି। ଏ ନେଇ ଉତ୍କେଲା ଫାଣ୍ଡି ଅଧିକାରୀଙ୍କୁ ପଚାରିବାରୁ ମୁଁ ଗଲା ପରେ କେହି ନ ଥିଲେ ବୋଲି ପ୍ରକାଶ କରିଥିଲେ।