୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ

ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ ହରାଇ ପାଲଟିଛି ବାପଛେଉଣ୍ଡ। ଅନ୍ୟ କେଉଁଠି ମା’ ବାପା ଦୁଇ ଜଣଙ୍କୁ ହରାଇ ପିଲାମାନେ ପାଲଟିଛନ୍ତି ଅନାଥ। ଏଭଳି ମା’ ବାପାଙ୍କୁ ହରାଇଥିବା ୭ ବର୍ଷର ଝିଅ ହେଉଛନ୍ତି କ୍ରିଷ୍ଣା। ତାଙ୍କ ଘର ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନିମାତ୍‌ପୁର ଗାଁରେ। ନିଜେ ମା’ କୋଳରେ ବସି ଗେହ୍ଲା ହେବା ବୟସରେ ତାଙ୍କ କାନ୍ଧରେ ଏବେ ଦେଢମାସର ଭାଇର ଦାୟିତ୍ୱ। ଭାଇକୁ ଖୁଆଇବାଠାରୁ ଆରମ୍ଭ କରି ଦୋଳି କରି ଝୁଲାଇବା ପର୍ଯ୍ୟନ୍ତ ସେ ସବୁକିଛି କରୁଛନ୍ତି। ଦୁଇ ପିଲାଙ୍କ ଭବିଷ୍ୟତ ନେଇ ସ୍ଥାନୀୟ ବାସିନ୍ଦା ଏବେ ଚିନ୍ତାରେ।
କମଳେଶ ପଣ୍ଡା (୩୬) ଓ ତାଙ୍କ ସ୍ତ୍ରୀ ସ୍ମିତା (୨୮)ଙ୍କ ଅକାଳ ମୃତ୍ୟୁ ହେବା ପରେ କ୍ରିଷ୍ଣା ଓ ଦେଢମାସର ଭାଇ ଏବେ ସ୍ନେହ ମମତାକୁ ଝୁରି ହେଉଛନ୍ତି। ଅନ୍ୟକୁ ଦେଖିଲେ କ୍ରିଷ୍ଣା ଆଖି ଛଳ ଛଳ କରି ଲୁହ ଗଡାଉଛି। ଦେଢ଼ମାସର ଭାଇ କ୍ଷୀର ପାଇଁ କାନ୍ଦୁଥିବା ବେଳେ ସେ ତା’ ଭାଇ ପାଇଁ ବଡ଼ମା’ ଓ ବଡ଼ବାପାଙ୍କଠାରୁ ଗାଈ କ୍ଷୀର ଆଣି ଖୁଆଉଛି। ଭାଇକୁ କାନ୍ଧରେ ପକାଇ ନାନା ବାୟା ଗୀତ ଗାଇ ଶୁଣାଉଛି। ବଡ଼ମା’ ଓ ବଡ଼ବାପାଙ୍କ ପାଖରେ ରହୁଥିଲେ ମଧ୍ୟ ମା’ବାପାଙ୍କ କଥା ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି। ବଡ଼ମା’ ଓ ବଡ଼ବାପା ଅଭାବ ଅନାଟନ ମଧ୍ୟରେ ଦିନ କାଟୁଥିବା ବେଳେ କ୍ରିଷ୍ଣା ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କରିଛି। ନିଜେ ପାଠ ପଢ଼ି ଭାଇକୁ ପାଠ ପଢ଼ାଇବ ବୋଲି ସେ କାନ୍ଦି କାନ୍ଦି କହୁଛି।