ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସମିତି( ଓ ଆର୍ଏମ୍ଏ୍ଏସ) ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ)ର ନିରନ୍ତର ପ୍ରୟାସ ଏକ ବଡ଼ ସଫଳତା ଆଣିଦେଇଛି। ଶନିବାର ଓ ଆର୍ଏମଏ୍ଏସ୍ ରାୟଗଡ଼ା ଅଧୀନରେ ଥିବା ଏଫ୍ପିଓ ଦ୍ୱାରା କରାଯାଇଥିବା ଏକ ସାମୂହିକ ବିପଣନ ପଦକ୍ଷେପ ମାଧ୍ୟମରେ ୨.୫ ମେଟ୍ରିକ ଟନ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ‘ଆମ୍ରପାଲି’ କିସମର ଆମ୍ବ ସଫଳତାର ସହ ଯୋଗାଇ ଦିଆଯାଇଛି। କେଏପିସିଏଲ୍ ମୁନିଗୁଡ଼ା ଦ୍ୱାରା ମୁନିଗୁଡ଼ା ବ୍ଲକର ସ୍ଥାନୀୟ ଚାଷୀମାନଙ୍କଠାରୁ ଏହି ଆମ୍ବ ସଂଗ୍ରହ ଓ ସଂଗୃହୀତ କରାଯାଇଥିଲା। ନୂଆଦିଲ୍ଲୀ ସ୍ଥିତ ପ୍ରସିଦ୍ଧ ‘ମଦର ଡାଏରୀ’କୁ ଯୋଗାଣ ପାଇଁ ଏହି ଆମ୍ବ ବହନ କରୁଥିବା ପରିବହନ ଗାଡ଼ିକୁ ରାୟଗଡ଼ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଏବଂ ଓ ଆର୍ଏମ୍ଏ୍ଏସ୍ର ଉପ-ସିଇଓଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ଅଭିନବ ପଦକ୍ଷେପ ଆଗାମୀ ଦିନରେ ଜିଲାର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ଦେବା ସହ ଆର୍ଥିକ ସ୍ଥିତିରେ ବ୍ୟାପକ ସୁଧାର ଆଣିବାରେ ସହାୟକ ହେବ ବୋଲି କୁହାଯାଇଥିଲା।