ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ବଡ଼ ଖବର। ଗତ ୨ରୁ ୩ ଦିନ ଧରି ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବର ପ୍ରସାରିତ ହେଉଥିଲା ଯେ, ହଠାତ୍ ସ୍ବାସ୍ଥ୍ୟ ବିଗିଡ଼ିବା କାରଣରୁ ଅମିତାଭ ବଚ୍ଚନ ‘କୌନ ବନେଗା କରୋଡ଼ପତି ୧୮’ (KBC 18)ର ଶୁଟିଂ ବନ୍ଦ କରି ବ୍ରେକ୍ ନେଇଛନ୍ତି। ତେବେ ଏବେ ଏହି ସବୁ କଳ୍ପନାଜଳ୍ପନା ଓ ଚିନ୍ତାଜନକ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ବିଗ ବିଙ୍କ ସ୍ବାସ୍ଥ୍ୟକୁ ନେଇ ଭୟଭୀତ ହେବା କିମ୍ବା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି। ପାଣିପାଗ ପରିବର୍ତ୍ତନ ଯୋଗୁ ତାଙ୍କର ସାମାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। କିନ୍ତୁ ଚିନ୍ତା କରିବା ଭଳି କିଛି ନାହିଁ। ଅମିତାଭ ବଚ୍ଚନ ଆସନ୍ତାକାଲି ଅର୍ଥାତ୍ ୧୦ ନଭେମ୍ବର (ମଙ୍ଗଳବାର)ରୁ ପୁଣି ଥରେ ‘କେବିସି ୧୮’ର ସେଟ୍କୁ ଫେରି ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି।
ପ୍ରକୃତରେ କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ, ୮୪ ବର୍ଷୀୟ ବିଗ ବିଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଯାଇଛି। ଏଥିପାଇଁ ଚ୍ୟାନେଲକୁ ପୁରୁଣା ଏପିସୋଡ ଏବଂ ସ୍ବତନ୍ତ୍ର ରି-ରନ୍ର ସାହାରା ନେବାକୁ ପଡ଼ୁଛି। କିନ୍ତୁ ପ୍ରକୃତ ସତ୍ୟ ହେଉଛି, ଅମିତାଭ ବଚ୍ଚନଙ୍କର କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ହୋଇନଥିଲା। ସେ କେବଳ ଋତୁକାଳୀନ ଫ୍ଲୁ (ସାମାନ୍ୟ ମୌସୁମୀ ଜ୍ୱର ଓ ଥଣ୍ଡା)ରେ ପୀଡ଼ିତ ଥିଲେ।