Categories: ଖେଳ

ଏସିଆଡ୍‌ ସ୍ବର୍ଣ୍ଣ ଜିତିବାରେ ଅମିତ୍‌ ୫ମ ଓଡ଼ିଆ

ଭୁବନେଶ୍ୱର, ୭।୧୦ (ତପନ ସ୍ବାଇଁ): ଚାଇନାର ହାଙ୍ଗଝୋରେ ଚାଲିଥିବା ଏସିଆନ ଗେମ୍ସର ପୁରୁଷ ହକିରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି। ଫଳରେ ଭାରତୀୟ ଦଳକୁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ମିଳିଯାଇଛି। ଭାରତୀୟ ଦଳର ସଦସ୍ୟଭାବେ ଅମିତ ରୋହିଦାସ ସ୍ବର୍ଣ୍ଣିମ ସଫଳତାରେ ଭାଗୀଦାର ହୋଇଛନ୍ତି। ଓଡ଼ିଶାର ଚତୁର୍ଥ ପୁରୁଷ ହକି ଖେଳାଳିଭାବେ ଅମିତ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ପାଇଛନ୍ତି। ଓଭରଅଲ୍‌ ଓଡ଼ିଶାର ୫ମ ଖେଳାଳିଭାବେ ସେ ଏସିଆଡ୍‌ରେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ପୂର୍ବରୁ ୧୯୯୮ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ଦିଲୀପ ତିର୍କୀ ଓ ଲାଜରୁସ ବାର୍ଲା। ସେତେବେଳେ ଦକ୍ଷିଣ କୋରିଆ ବିପକ୍ଷ ଫାଇନାଲ ୧-୧ ଗୋଲରେ ବରାବର ରହିବାରୁ ଶୁଟ୍‌ ଆଉଟରେ ଭାରତ ୪-୨ ଗୋଲରେ ବିଜୟୀ ହୋଇଥିଲା। ଏହାପରେ ୨୦୧୪ରେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଏହି ସଫଳତାର ସାଥି ରହିଥିଲେ। ଏହି ସଂସ୍କରଣରେ ମଧ୍ୟ ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ବରାବର ରହିବାରୁ ଶୁଟ୍‌ଆଉଟରେ ଭାରତ ୪-୨ ଗୋଲରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା। ହକିକୁ ବାଦ୍‌ ଦେଲେ ୧୯୫୧ ଏସିଆନ ଗେମ୍ସରେ ଭାରତୀୟ ଫୁଟବଲ ଦଳର ସଦସ୍ୟଭାବେ ସେକ୍‌ ଅବଦୁଲ ମଜିଦ ବଚନ ସ୍ବର୍ଣ୍ଣ ପଦକ ପାଇଥିଲେ। ଏସିଆଡ୍‌ରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ସର୍ବପ୍ରଥମ ଓଡ଼ିଆ ଖେଳାଳି। ହାଙ୍ଗଝୋ ଏସିଆନ ଗେମ୍ସର ହକି ଫାଇନାଲ ଏକପାଖିଆ ହୋଇ ଯାଇଥିବାବେଳେ ଭାରତର ୫-୧ ବିଜୟରେ ଅମିତ ରୋହିଦାସ ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଏସିଆନ ଗେମ୍ସରେ ଏହାକୁ ମିଶାଇ ଓଡ଼ିଶାର ୨୩ ପ୍ରତିଯୋଗୀ ମୋଟ ୩୧ ପଦକ ହାସଲ କରିଛନ୍ତି। ଏହା ମଧ୍ୟରୁ ମହିଳା ଓ ପୁରୁଷ ହକିରୁ ସର୍ବାଧିକ ୨୨ଟି ପଦକ ଆସିଛି।

ଅଲିମ୍ପିକ୍ସ ହକିରେ ଭାରତ ଜିତିଛି ୮ ସ୍ବର୍ଣ୍ଣ
ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ରେକର୍ଡ ଖୁବ୍‌ ଭଲ। ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ସର୍ବାଧିକ ୮ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ଭାରତୀୟ ଦଳ ସ୍ବର୍ଣ୍ଣ ଜିତିବାର ଇତିହାସ ରହିଛି। ସେହିପରି ୧୯୬୦ରେ ରୌପ୍ୟ, ୧୯୬୮, ୧୯୭୨ ଓ ୨୦୨୦ରେ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଅଲିମ୍ପିକ୍ସର ଗତ ସଂସ୍କରଣରେ ଭାରତୀୟ ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତି ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିଲା। ଏହି ଦଳର ସଦସ୍ୟଥିଲେ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା। ଭାରତ ଆଗାମୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପାଇ ସାରିଥିବାରୁ ଅମିତଙ୍କ ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ଆଶା ଉଜ୍ଜୀବିତ ହୋଇଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ଅଲିମ୍ପିକ୍ସ ଇତିହାସରେ ଭାରତୀୟ ପୁରୁଷ ହକି ଦଳ କେବଳ ୨୦୦୮ ବେଜିଂ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା।

Share