ଭିଜିଲାନ୍ସ ହାତରୁ ବଞ୍ଚିବା ପାଇଁ ଲାଟିନ୍‌ ପ୍ୟାନ୍‌ରେ ଟଙ୍କା ଫୋପାଡିଲେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ଅମିନ

କଣିହାଁ,୧।୧୦(ଡି.ଏନ.ଏ): ଅନୁଗୋଳ ଜିଲା କଣିହାଁ ଆର୍‌.ଆଇ ଅଫିସରେ କାର୍ଯ୍ୟରତ ଅମିନ ସୌମ୍ୟରଞ୍ଜନ ଦାସ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣିହାଁ ବ୍ଲକ ତେଲସିଂହା ଗ୍ରାମର ଶୁଭେନ୍ଦୁ କୁମାର ଦାସ ନାମକ ଜଣେ ବ୍ୟକ୍ତି ନିଜର ଜମି ଚିହ୍ନଟ କରିବା ପାଇଁ ଆରଆଇ ଅଫିସରେ ଆବେଦନ କରିଥିବା ବେଳେ ବାରମ୍ବାର ଦୌଡିଥିଲେ ମଧ୍ୟ ତାଙ୍କର କାର୍ଯ୍ୟ ହୋଇ ନ ଥିଲା ।
ଏ ନେଇ ସେଠାରେ କାର୍ଯ୍ୟରତ ଥିବା ଅମିନ ସୌମ୍ୟରଞ୍ଜନ ତାଙ୍କୁ ଲାଞ୍ଚ ମାଗୁଥିବା ସେ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ପୂର୍ବ ପ୍ରସ୍ତୁତି ମୁତାବକ ଆର୍‌.ଆଇ କାର୍ଯ୍ୟାଳୟରେ ୨ହଜାର ଟଙ୍କା ଲାଞ୍ଚ ନେବାବେଳେ ଅନୁଗୋଳ ଭିଜିଲାନ୍ସ ଅଧିକାରୀ ପହଞ୍ଚି ଥିଲେ । ସୌମ୍ୟରଞ୍ଜନ ଭିଜିଲାନ୍ସ ଟିମକୁ ଦେଖି ସଙ୍ଗେସଙ୍ଗେ ଲାଟିନ ଭିତରକୁ ପଶି ପ୍ୟାନରେ ଟଙ୍କାକୁ ଫୋପାଡି ଦେଇଥିଲେ। ଭିଜିଲାନ୍ସର ଅଧିକାରୀ ପ୍ୟାନରୁ ୫ଶହ ଟଙ୍କିଆ ୪ଟି ନୋଟ ଜବତ କରିଛି। ସୌମ୍ୟରଞ୍ଜନକୁ ଜିଲାଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି।