ନିଯୁକ୍ତିରେ ଅସ୍ପଷ୍ଟତା

ନିର୍ଦ୍ଧାରିତ ସମୟର ୨୦ ମାସ ପୂର୍ବରୁ ଆଇଆର୍‌ଏସ୍‌ ଅଧିକାରୀ ପ୍ରାଚୀ ସରୁପ ସ୍ବେଚ୍ଛାକୃତ ଅବସର ପାଇଁ ନେଇଥିବା ନିଷ୍ପତ୍ତିକୁ ଅଣଦେଖା କରାଯାଇପାରିବ ନାହିଁ। ରିପୋର୍ଟ ଅନୁଯାୟୀ, ୧୯୯୧ ବ୍ୟାଚ୍‌ର ଏହି ଅଧିକାରୀଙ୍କୁ ତିନୋଟି ସାକ୍ଷାତ୍‌କାର ପରେ ବି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସେସ୍‌ ଆଣ୍ଡ କଷ୍ଟମ୍ସ(ସିବିଆଇସି) ସଦସ୍ୟ ପଦ ପାଇଁ ଚୟନ କରାଯାଇ ନ ଥିଲା। କେତେଜଣ ପ୍ରଶାସନିକ ସମୀକ୍ଷକଙ୍କ ମତରେ ପଦୋନ୍ନତି ନ ମିଳିବା ପଛରେ ବରିଷ୍ଠତାର କୌଣସି ସମ୍ପର୍କ ନ ଥିଲା। ସିବିଆଇସି ବୋର୍ଡ ପାଇଁ ସଦସ୍ୟ ଚୟନ ପ୍ରକ୍ରିୟାରେ ଯୋଗ୍ୟତା, ବିଶେଷଜ୍ଞତା ଏବଂ ସଚ୍ଚୋଟତା ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ଚୟନ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ତିନୋଟି ପଦବୀ ପାଇଁ ୧୫ଜଣ ଅଧିକାରୀଙ୍କ ସାକ୍ଷାତ୍‌କାର ନିଆଯାଇଥିଲେ ମଧ୍ୟ ଶେଷରେ ଦୁଇଟି ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ମତଭେଦ କାରଣରୁ ଖାଲି ପଦବୀ ପୂରଣ ହୋଇପାରି ନ ଥିବା ଜଣାପଡ଼ିଛି। ପରେ ନିଯୁକ୍ତି ତାଲିକାକୁ ବିସ୍ତାର କରାଯାଇ ୧୯୯୧ ବ୍ୟାଚ୍‌ର ଅଧିକାରୀ ମୟଙ୍କ କୁମାରଙ୍କୁ ଚୟନ କରାଯାଇଥିଲା। ଜିଏସ୍‌ଟି ନୀତି ଉପରେ କାର୍ଯ୍ୟ କରିଥିବାରୁ କୁମାରଙ୍କୁ ଏହି ନିଯୁକ୍ତି ମିଳିଥାଇପାରେ। ହେଲେ ଏସବୁ କେବଳ ଅନୁମାନ। ତେବେ ନିଷ୍ପତ୍ତି ନେଇଥିବା କର୍ତ୍ତୃପକ୍ଷ ଏ ସମ୍ପର୍କରେ ସର୍ବସାଧାରଣରେ କୌଣସି ବିବୃତି ଦେଇନାହାନ୍ତିି। ସରୁପ ଏହି ପଦବୀ ପାଇଁ ଯୋଗ୍ୟ ଥିଲେ କି ନାହିଁ, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ନୁହେଁ। ପ୍ରକୃତ ସମସ୍ୟା ହେଉଛି ଜଣେ ଅଧିକାରୀଙ୍କୁ ତିନି ତିନି ଥର ପରୀକ୍ଷା କରାଯିବା , ସାକ୍ଷାତ୍‌କାର ନିଆଯିବା ପରେ ଶେଷରେ ସ୍ପଷ୍ଟ ନିଷ୍କର୍ଷ ବିନା ପ୍ରତ୍ୟାଖ୍ୟାନ କରାଯାଇଛି। ଚୟନ କମିଟିଗୁଡ଼ିକ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇପାରିବେ। କିନ୍ତୁ ସେହି ନିଷ୍ପତ୍ତିକୁ ଲୁଚାଇ ରଖିବାର କୌଣସି ଆବଶ୍ୟକତା ନାହିଁ।
ପ୍ରଶ୍ନ ଘେରରେ ନିଲମ୍ବନ
ପ୍ରାୟ ୮ ବର୍ଷ ନିଲମ୍ବନ ପରେ ଉତ୍ତରପ୍ରଦେଶ କ୍ୟାଡରର ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଜସ୍‌ବୀର ସିଂହଙ୍କୁ ପୁନଃ ନିଯୁକ୍ତି ଦିଆଯିବା ଯୋଗୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠିଛି। ଫେବୃଆରୀ ୨୦୧୯ରେ ଏକ ଆଲୋଚନା ପରେ ସିଂହଙ୍କୁ ନିଲମ୍ବନ କରାଯାଇଥିଲା, ଯେଉଁଠି ସେ ପୋଲିସ ଏନ୍‌କାଉଣ୍ଟର, ପୋଲିସ ବାହିନୀର କାର୍ଯ୍ୟପ୍ରଣାଳୀ ଏବଂ ବଦଳି ଓ ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହା ବ୍ୟତୀତ ବିନା ଅନୁମତିରେ ସେ କାର୍ଯ୍ୟରେ ଅନୁପସ୍ଥିତ ରହିବାକୁ ମଧ୍ୟ ନିଲମ୍ବନର ଆଧାର ଭାବେ ସରକାର ଦର୍ଶାଇଥିଲେ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଳରେ ଜଣେ ଅଧିକାରୀଙ୍କୁ ଦୀର୍ଘ ସମୟ ସେବାରୁ ଦୂରେଇରଖିବା କ’ଣ ଯଥାର୍ଥ?
ଗୋଟିଏ ସମୟରେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ବିଚାର କରୁଥିବା ଖବର ଆସିଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ନ ଥିଲା। ସିଂହଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି ସତ, କିନ୍ତୁ ଦଣ୍ଡ ସ୍ବରୂପ ତାଙ୍କୁ ଏଡିଜି ପାହ୍ୟାକୁ ପଦାବନତ କରାଯାଇଥିବା ଜଣାପଡ଼ିଛି। ଜାନୁଆରୀ ୨୦୨୮ରେ ତାଙ୍କର ଅବସର ନେବାର ସମୟ ଥିବାରୁ, ସର୍ବୋଚ୍ଚ ପାହ୍ୟାରେ ପଦାସୀନ ହେବାର ସମ୍ଭାବନା ନାହିଁ। ନିଲମ୍ବନ ହେଉଛି ଏକ ଅସ୍ଥାୟୀ ବ୍ୟବସ୍ଥା, ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁଥିବା ଦଣ୍ଡ ନୁହେଁ। ଏହିପରି ସ୍ଥିତିକୁ ରୋକିବା ପାଇଁ ସେବା ନିୟମାବଳୀରେ ନିୟମିତ ସମୀକ୍ଷାର ବ୍ୟବସ୍ଥା ରହିଛି। ଏଠାରେ ସେହି ସୁରକ୍ଷାମୂଳକ ବ୍ୟବସ୍ଥାଗୁଡ଼ିକ ତାଙ୍କୁ କୌଣସି ବିଶେଷ ସୁରକ୍ଷା ଦେଇପାରିଥିବା ପରି ମନେହେଉନାହିଁ। ଏହା କ’ଣ କେବଳ ପ୍ରଶାସନିକ ଶିଥିଳତା ଥିଲା, ନା ସିଂହଙ୍କର ସ୍ପଷ୍ଟବାଦୀ ମତାମତ ତାଙ୍କୁ ଜଣେ ଅପ୍ରିୟ ଅଧିକାରୀ କରିଦେଇଥିଲା? ତେବେ କୌଣସି ଆଚରଣ ବିଧି ଉଲ୍ଲଂଘନ ପାଇଁ ଜଣେ ଅଧିକାରୀଙ୍କୁ ଯେପରି ଉତ୍ତରଦାୟୀ କରାଯିବା ଆବଶ୍ୟକ; ସେହିପରି ନ୍ୟାୟ ପ୍ରଦାନରେ ହେଉଥିବା ବିଳମ୍ବ ପାଇଁ ସରକାରଙ୍କୁ ମଧ୍ୟ ଉତ୍ତରଦାୟୀ ହେବାକୁ ପଡ଼ିବ।
ବିଶ୍ୱାସର ଅଭାବ
ତାମିଲନାଡୁର ପ୍ରମୁଖ ପୁଞ୍ଜିନିବେଶ ପ୍ରୋତ୍ସାହନ ଏବଂ ସିଙ୍ଗଲ-ୱିଣ୍ଡୋ ସୁବିଧା ପ୍ରଦାନକାରୀ ସଂସ୍ଥା ‘ଗାଇଡାନ୍ସ ତାମିଲନାଡୁ’ରେ ପରିଚାଳନାଗତ ତ୍ରୁଟି ବିରୋଧରେ ସ୍ବର ଉଠାଇଥିବା କର୍ମଚାରୀମାନଙ୍କୁ ଏବେ ପରୋକ୍ଷରେ ସଂସ୍ଥା ସହ ବିଶ୍ୱାସଘାତକତା କରିଥିବା ଅଭିଯୋଗର ସମ୍ମୁଖୀନ ହେବାକୁ ପଡ଼ୁଛି। ସୂଚନା ଅନୁଯାୟୀ, ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଦୀପକ ଜାକବଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ପୂର୍ବତନ କର୍ମଚାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକ ମଧ୍ୟ ସେତିକି ଗୁରୁତର ଏବଂ ସେସବୁର ସମାନ ଭାବେ ଯାଞ୍ଚହେବା ଉଚିତ। ଯଦି ସେମାନେ ପୁଞ୍ଜିନିବେଶ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଅନ୍ୟ କୌଣସି ରାଜ୍ୟକୁ ଦେଇଛନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। କିନ୍ତୁ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ମତଭେଦ ପରେ ଅନ୍ୟତ୍ର ଚାକିରି ଖୋଜିବା ଯଦି ସେମାନଙ୍କର ଏକମାତ୍ର ଦୋଷ ହୋଇଥାଏ, ତେବେ ଏହାକୁ ଶିଳ୍ପ ଗୁପ୍ତଚରବୃତ୍ତି କୁହାଯାଇପାରିବ ନାହିଁ। ଏହି ଦୁଇଟି ବିଷୟ ମଧ୍ୟରେ ଥିବା ପାର୍ଥକ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ପରସ୍ପର ବିରୋଧୀ ମନ୍ତବ୍ୟ ଭିତରେ ଏହାକୁ ଅସ୍ପଷ୍ଟ ରଖାଯିବା ଉଚିତ ନୁହେଁ । ଚିନ୍ତାଜନକ ବିଷୟ ହେଉଛି, ଯେଉଁ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ନିବେଶକଙ୍କ ମନରେ ବିଶ୍ୱାସ ଜନ୍ମାଇବା, ସେହି ସଂସ୍ଥା ଭିତରେ ଏବେ ବିଶ୍ୱାସର ଅଭାବ। ସରକାର ପରିବର୍ତ୍ତନ ହେଲେ ନୂଆ ପ୍ରାଥମିକତା ଏବଂ ନୂଆ ଅଧିକାରୀ ଆସିବା ସ୍ବାଭାବିକ, ଯାହା ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶ। ତେବେ ମୂଳ ପ୍ରସଙ୍ଗକୁ ଲୁଚାଇ ନ ରଖି ରାଜ୍ୟ ସରକାର ଏହାର ସତ୍ୟାସତ୍ୟ ଖୋଜି ବାହାର କରିବା ଆବଶ୍ୟକ।
Email: dilipcherian@gmail.com

Dharitri – Odisha’s No.1 Odia Daily