ଭାରୀ ଜିନିଷ ଅର୍ଡର କରନ୍ତୁ ନାହିଁ, ଥକ୍କି ପଡୁଛୁ; ଗ୍ରାହକଙ୍କୁ ନିବେଦନ କରିବାରୁ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଲା ଆମାଜନ

ନୂଆଦିଲ୍ଲୀ,୨୧।୧: ଭାଇରାଲ ହେବା ପାଇଁ ଏବେ ଲୋକମାନେ ରିଲ୍ସ ଓ ସର୍ଟସ୍ପ ଭିଡିଓରେ ଅଜବଗଜବ ପ୍ରକାର କୌଶଳ ଆପଣାଉଛନ୍ତି। ସାମ୍ପ୍ରତିକ ସମୟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମାଜନ ପରି ବହୁ ଟେକ୍‌ କମ୍ପାନୀ ନିଜ କମ୍ପାନୀରୁ ବହୁ କର୍ମଚାରୀଙ୍କୁ ଛଟେଇ କରୁଥିବାବେଳେ ଆମାଜନ ନିଜର ଜଣେ କର୍ମଚାରୀଙ୍କୁ ଏକ ଅଜବ କାରଣ ପାଇଁ ଚାକିରୀରୁ ବାହାର କରିଛି। କର୍ମଚାରୀଜଣକ ଟିକ୍‌ଟକ ଭିଡିଓ କରି ଗ୍ରାହକଙ୍କୁ ଏପରି ମେସେଜ ଦେଇଥିଲେ ଯାହାଯୋଗୁ ତାଙ୍କୁ ଚାକିରୀ ହରେଇବାକୁ ପଡିଛି।

ସୂଚନା ଅନୁଯାୟୀ, ଆମାଜନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ସାତ ବର୍ଷ ପୂର୍ବେ ଏକ ଟିକ୍‌ଟିକ୍‌ ଭିଡିଓ ପ୍ରସ୍ତୁତ କରିଥିଲେ। ଯେଉଁ କାରଣରୁ ବର୍ତ୍ତମାନ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି। ଟିକ୍‌ଟକ୍‌ ବ୍ୟବହାରକାରୀ @ଥାଟାମାଜୋଙ୍ଗୁଇ, ଯାହାଙ୍କ ନାମ କେନ୍ଦଲ ଅଟେ। ସେ ଗତ ସପ୍ତାହରେ ଏକ ଭିଡିଓ ପୋଷ୍ଟ କରି କ୍ଷମା ମାଗିଛନ୍ତି।

ଭିଡିଓରେ ସେ କ୍ଷମା ମାଗି କହିଛନ୍ତି, ସାତ ବର୍ଷ ପୂର୍ବେ ଭିଡିଓରେ ଆମାଜନ ଗ୍ରାହକଙ୍କୁ ଭାରୀ ଜିନିଷ ଅର୍ଡର କରିବା ବନ୍ଦ କରିବାକୁ ଅନୁରୋଧ କରିଥିଲି କାରଣ ଏସବୁକୁ ଟେକି ଆମେ ଥକ୍କି ପଡୁଥିଲୁ। ଯଦିଓ ଏହି ଭିଡିଓ ବହୁ ପୁରୁଣା କିନ୍ତୁ ଆମାଜନ ବର୍ତ୍ତମାନ ସେହି ଭିଡିଓକୁ ଏକ ଇସୁ କରି ମୋତେ କାମରୁ ବାହାର କରିଦେଇଛି। ଏବେ ମୋ ପାଖରେ କୌଣସି ଚାକିରୀ ନାହିଁ।
କହିରଖୁଛୁ କି, ଭିଡିଓର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଯୁବକଙ୍କ ଅଭିଯୋଗ ପରେ ଆମାଜନ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

Share