ସ୍କୁଲ ପାଇଁ ୪୦ଲକ୍ଷ ଦେଲେ ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ୟୁନିଭର୍‌ସିଟି ହାଇସ୍କୁଲ ବାଣୀବିହାରର ପୁରାତନ ଛାତ୍ରୀଛାତ୍ର ‘ମୋ ସ୍କୁଲ୍‌ ଅଭିଯାନ’ରେ ସାମିଲ ହୋଇ ନିଜ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୪୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନର ଏକ ପ୍ରତିନିଧି ଦଳ ସୋମବାର ‘ମୋ ସ୍କୁଲ୍‌’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କୁ ଭେଟି ଉକ୍ତ ଟଙ୍କାର ଚେକ୍‌ ଦେବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ୪୦ ଲକ୍ଷ ଟଙ୍କାରେ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତା ରାଶିକୁ ମିଶାଇ ମୋଟ ୧ କୋଟି ୨୦ ଲକ୍ଷ ଟଙ୍କାରେ ଏକ ଅତ୍ୟାଧୁନିକ ମଲ୍ଟିପରପୋଜ୍‌ ହଲ୍‌ (ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ସେଣ୍ଟର ଓ ଇନ୍‌ଡୋର ହଲ୍‌) ନିର୍ମାଣ କରାଯିବ। ଏଥିପାଇଁ ପ୍ରତିନିଧି ଦଳ ଏକ ସ୍ବତନ୍ତ୍ର ଡିଜାଇନ୍‌ ମଧ୍ୟ ପ୍ରଦାନ କରିଛି। ୨୦୨୨ରେ ହାଇସ୍କୁଲ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବାବେଳେ ଉକ୍ତ ଉତ୍ସବରେ ଏହା ଉଦ୍‌ଘାଟନ ହେବ। ଏଥିସହ ଶିକ୍ଷାନୁଷ୍ଠାନର ସ୍ବର୍ଣ୍ଣିମ ଇତିହାସକୁ ଆହୁରି ଗୌରବାନ୍ବିତ କରିବାକୁ ପୁରାତନ ଛାତ୍ର ସଙ୍ଗଠନ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ପ୍ରସ୍ତାବିତ ଏହି ବହୁମୁଖୀ ଗୃହରେ ଏକାସାଙ୍ଗରେ ୧ ହଜାର ଛାତ୍ରୀଛାତ୍ର ଏକତ୍ରିତ ହୋଇପାରିବେ ଏବଂ ଏହାକୁ ପ୍ରାର୍ଥନା ସଭା, ମଧ୍ୟାହ୍ନ ଭୋଜନ ହଲ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ବ୍ୟବହାର କରାଯାଇପାରିବ। ‘ମୋ ସ୍କୁଲ୍‌ ଅଭିଯାନ’ ଅଧୀନରେ ୟୁନିଭର୍ସିଟି ହାଇସ୍କୁଲ୍‌ରେ କମ୍ପ୍ୟୁଟର ଲ୍ୟାବ୍‌, ବିଜ୍ଞାନାଗାର, ପାଠାଗାର, ବାଇସାଇକେଲ ଷ୍ଟାଣ୍ଡ୍‌ ନିର୍ମାଣ କରାଯାଇଥିବାବେଳେ ଶ୍ରେଣୀଗୃହ ଓ ଶୌଚାଳୟର ମରାମତି, ପାନୀୟଜଳ ବ୍ୟବସ୍ଥା ସହ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ କରାଯାଇଛି।