Categories: ବାଣିଜ୍ୟ

ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୦।୧୧: ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ମାନ୍ଦାବସ୍ଥା ଜାରି ରହିଛି। ଦେଶରେ ଉଭୟ ଅନ୍ତଃରାଷ୍ଟ୍ରୀୟ ଓ ସ୍ଥାନୀୟ ସମସ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ବୁଧବାର ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନ୍‌ଆର୍‌) ରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଅନୁମତି ପ୍ରଦାନ (ମଞ୍ଜୁରୀ) ସହ ବୈଦେଶିକ ବାଣିଜ୍ୟ ନୀତି ଏବଂ ପଦ୍ଧତି ପୁସ୍ତିକାରେ ଆବଶ୍ୟକ ସଂଶୋଧନ କରିଛନ୍ତି। ଏହାଦ୍ବାରା ଭାରତୀୟ ମୁଦ୍ରାରେ ଇନ୍‌ଭଏସ୍‌ ପ୍ରସ୍ତୁତି ସହ ଅର୍ଥ ପୈଠ ଏବଂ ରପ୍ତାନି-ଆମଦାନୀ କାରବାର କରାଯାଇପାରିବ। ବିଶେଷକରି ଏ ଦିଗରେ ଏକ ପଦକ୍ଷେପ ସ୍ବରୂପ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଅନୁଚ୍ଛେଦ ସଂଖ୍ୟା ୨.୫୨ (ଡି) ବୈଧ ବିଜ୍ଞପ୍ତି ସଂଖ୍ୟା ୩୩-୨୦୧୫-୨୦ ଜରିଆରେ ୨୦୨୨ ସେପ୍ଟେମ୍ବର ୧୬ରେ ଭାରତୀୟ ମୁଦ୍ରାରେ ଇନ୍‌ଭଏସ୍‌ ପ୍ରସ୍ତୁତି ସହ ଅର୍ଥ ପୈଠ ଏବଂ ରପ୍ତାନି ଓ ଆମଦାନୀ କାରବାରକୁ ଅନୁମତି ଦିଆଯାଇଥିଲା। ଏହା ପୂର୍ବରୁ ୨୦୨୨ ଜୁଲାଇ ୧୧ରେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ.ପି. (ଡିଆଇଆର୍‌ ସିରିଜ) ବିଜ୍ଞପ୍ତି ସଂଖ୍ୟା ୧୦ ଜରିଆରେ ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁର କରିଥିଲା ଏବଂ ଡିଜିଏଫ୍‌ଟି ସେହି ଅନୁଯାୟୀ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲା। ସେହିପରି ଉପରୋକ୍ତ ବିଜ୍ଞପ୍ତିକୁ ଆଗକୁ ବଢ଼ାଇ ବୈଦେଶିକ ବାଣିଜ୍ୟ ନୀତିର ଅନୁଚ୍ଛେଦ ୨.୫୩ ରେ ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରାଯାଇଛି। ରପ୍ତାନି ପାଇଁ ଆମଦାନୀ (ଏଫ୍‌ଟିପିର ଅନୁଚ୍ଛେଦ୨.୪୬), ଷ୍ଟାଟସ ହୋଲ୍‌ଡର ବା ସ୍ଥିତି ଧାରକ ଭାବେ ମାନ୍ୟତା ପାଇଁ ରପ୍ତାନି ପ୍ରଦର୍ଶନ (ଏଫ୍‌ଟିପିର ଅନୁଚ୍ଛେଦ ୩.୨୦), ଅଗ୍ରିମ ପ୍ରାଧିକରଣ (ଏଏ) ଏବଂ ଶୁଳ୍କ ମୁକ୍ତ ଆମଦାନୀ ପ୍ରାଧିକରଣ (ଡିଏଫ୍‌ଆଇଏ) ଯୋଜନା ଅଧୀନରେ ରପ୍ତାନି କାରବାର ପ୍ରାପ୍ତି ପାଇଁ (ଏଫ୍‌ଟିପିର ଅନୁଚ୍ଛେଦ ୪.୨୧) ଏବଂ ରପ୍ତାନି ପ୍ରୋତ୍ସାହନ ପୁଞ୍ଜିଗତ ବସ୍ତୁ (ଇପିସିଜି) ଯୋଜନା (ଏଚ୍‌ବିପିର ଅନୁଚ୍ଛେଦ ୫.୧୧) ଅଧୀନରେ ରପ୍ତାନି କାରବାରର ପ୍ରାପ୍ତି ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁଯାୟୀ ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ ଲାଭ, ରିହାତି, ରପ୍ତାନି ବାଧ୍ୟତା ପୂରଣକୁ ୨୦୨୨ଜୁଲାଇ ୧୧ରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁଯାୟୀ ଭାରତୀୟ ଟଙ୍କାର ପ୍ରାପ୍ତି ନିମନ୍ତେ ସମ୍ପ୍ରସାରଣ କରାଯାଇଛି।

 

Share