ଜାଳେଣି କାଠ ଆଣିବାକୁ ଯାଇ ଫେରି ନ ଥିଲେ

ନୂଆପଡ଼ା ଅଫିସ,୧୩।୪: ଗତ କିଛିଦିନ ହେବ ଓଡ଼ିଶାରେ ପାରଦ ଉପରମୁହାଁ ରହିଛି। ପ୍ରଚଣ୍ଡ ଖରାରେ ଦେହମୁଣ୍ଡ ଜଳିପୋଡ଼ି ଯାଉଛି। ଏଭଳି ସ୍ଥିତିରେ ନୂଆପଡ଼ା ଜିଲା ସଦର ବ୍ଲକ ଗୋଡ଼ଫୁଲା ପଞ୍ଚାୟତ ଜୁନାନୀ ଗାଁର ଜଣେ ବ୍ୟକ୍ତିଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ଉକ୍ତ ଗାଁର ବାଜେବନ ବିଭାର(୪୫)।

ମିଳିଥିବା ସୂଚନା ମୁତାବକ, ବାଜେବନ ଅପରାହ୍ନ ୨ଟାରେ ସାଇକେଲ ଓ ଟାଙ୍ଗିଆ ଧରି ପାଖ ଗାଁ ପଗାରପାଣି ଜଙ୍ଗଲକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଗୁରୁବାର ସକାଳେ ଗାଁ ଲୋକେ ସେହି ଜଙ୍ଗଲକୁ ଜାଳେଣି କାଠ ଓ ମହୁଲଫୁଲ ଗୋଟାଇବା ଯାଇଥିଲେ। ଜଙ୍ଗଲ ଭିତରେ ଜଣେ ବ୍ୟକ୍ତିଙ୍କ ଜମିରେ ଥିବା ନଳକୂପ ପାଖରେ ବାଜେବନଙ୍କ ମୃତଦେହ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ବାଜେବନ ସାଇକେଲ ଓ କାଠ ନଳକୂପଠାରୁ ୧୦ରୁ ୧୫ ମିଟର ଦୂରରେ ରଖି ପାଣି ପିଇବା ପାଇଁ ଯାଇ ସେଠାରେ ପଡିଯାଇ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଲାଗି ରହିଥିବାରୁ ବାଜେବନଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧୫/୨୩) ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଡାକ୍ତର ଏବଂ ତଦନ୍ତକାରୀ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।