ଜଳେଶ୍ୱରର ୧୯ ବୁଥ୍‌ରେ ଭୋଟ ଜାଲିଆତି ଅଭିଯୋଗ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବାଲେଶ୍ୱର ଜିଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କାଦରାୟାନ ଓ କାରୁଆ ପଞ୍ଚାୟତର ୧୯ଟି ବୁଥ୍‌ରେ ଶୁକ୍ରବାର ମତଦାନବେଳେ ବ୍ୟାପକ ଜାଲିଆତି, ବୁଥ୍‌ ଦଖଲ ଆଦି ଅଭିଯୋଗ ହୋଇଛି। ଏପରି ଅନିୟମିତତା ନେଇ କଂଗ୍ରେସର ସ୍ଥାନୀୟ ଜିଲା ପରିଷଦ ପ୍ରାର୍ଥତ୍ନୀ ଅଞ୍ଜଳି ପ୍ରଧାନ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଥିରେ ସିଂଲା ଥାନାର ଭରପ୍ରାପ୍ତ ଅଧିକାରୀ ଓ ବସ୍ତା ବିଡିଓଙ୍କ ଅବହେଳା ତଥା ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିବେବଦନ କରିଛନ୍ତି। ଅନିୟମିତତା ହୋଇଥିବା ସେସବୁ ବୁଥ୍‌ରେ ପୁନଃ ନିର୍ବାଚନ କରିବା, ଥାନା ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବା ଓ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଅବହେଳା କରିଥିବା ବିଡିଓଙ୍କ ସମେତ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତାଙ୍କୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ସତ୍ୟାଗ୍ରହ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି l