ଶିକ୍ଷା ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର,୨।୩(ବ୍ୟୁରୋ): ଘରୋଇ ସ୍କୁଲରେ ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ) ଉଲ୍ଲଂଘନ କରାଯାଉଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ଆର୍‌ଟିଇ ଅନୁସାରେ ଘରୋଇ ସ୍କୁଲରେ ୨୫% ମାଗଣା ନାମଲେଖା ଆର୍‌ଟିଇ ପାରଦର୍ଶୀ ପୋର୍ଟାଲରେ ବ୍ୟବସ୍ଥା କରାଯିବ। ନାମଲେଖା ପାଇଁ ବୟସ ୬ବର୍ଷ ହୋଇଥିବା ଜରୁରୀ। ୬ରୁ୧୪ ବର୍ଷ ବୟସ ମଧ୍ୟରେ କ୍ଲାସ-୧ ଓ ତା’ ପୂର୍ବରୁ ଥିବା ଶ୍ରେଣୀ ଉଭୟରେ ନାମଲେଖା କରାଯାଇପାରିବ। କିନ୍ତୁ ପୋର୍ଟାଲରେ କେବଳ ପ୍ରାରମ୍ଭରେ ନାମଲେଖା ପାଇଁ ବ୍ୟବସ୍ଥା ରହିଛି। ଫଳରେ ରାଜ୍ୟରେ ୬୭ହଜାର ସିଟ୍‌ରୁ ମାତ୍ର ୨ହଜାର ପିଲା ନାମ ଲେଖାଇ ପାରିବେ। ଏହା ଶିକ୍ଷା ଅଧିକାର ଆଇନର ଉଲ୍ଲଂଘନ କରୁଛି। ତେଣୁ ଉଭୟ ପ୍ରଥମ ଶ୍ରେଣୀ(କ୍ଲାସ୍‌ ୧) ଓ ପ୍ରାରମ୍ଭ ପ୍ଲେ ସ୍କୁଲରେ ନାମଲେଖା ପାଇଁ ବ୍ୟବସ୍ଥା କରାଯିବା ପାଇଁ ମହାସଂଘ ଦାବି କରିଛି। ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଭୁବନେଶ୍ୱର ଆବାହକ ପ୍ରଦୀପ୍ତ ମିଶ୍ର ଏବଂ ଉପଦେଷ୍ଟା ନାଗାର୍ଜୁନ ସେଠୀ ଏ ନେଇ ମଙ୍ଗଳବାର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଏବଂ ଓସେପା ସ୍ବତନ୍ତ୍ର ନିର୍ଦ୍ଦେଶକ ଅନୁପମ ଶାହାଙ୍କୁ ଭେଟି ଏହାକୁ ତୁରନ୍ତ ବଦଳାଇବାକୁ ଦାବି କରିଛନ୍ତି। ଏଥିସହ ଯେଉଁ ସ୍କୁଲ ପୋର୍ଟାଲରେ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ ତାଗିଦ୍‌ କରାଯିବାକୁ ଦାବି କରିଛନ୍ତି। ଏ ନେଇ ବାସୁଦେବ ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଦି ଏହି ସପ୍ତାହ ମଧ୍ୟରେ ଏହାକୁ ପାଳନ କରା ନ ଯାଏ ତେବେ ଅନଶନ କରାଯିବ ବୋଲି ମହାସଂଘ ପକ୍ଷରୁ ଲିଖିତ ଚେତାବନୀ ଦିଆଯାଇଛି।