Categories: ଖେଳ

ଟ୍ୟାକ୍ସ ଫାଙ୍କିବା ଅଭିଯୋଗ: ଜର୍ମାନ ଫୁଟ୍‌ବଲ ଫେଡେରେଶନ ଉପରେ ଚଢ଼ାଉ

ଫ୍ରାଙ୍କଫର୍ଟ,୮।୧୦(ଏପି): ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଜର୍ମାନ ଫୁଟବଲ ଫେଡେରେଶନ ଓ ତା’ର କେତେଜଣ କର୍ମକର୍ତ୍ତାଙ୍କ ଘର ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଚଢ଼ାଉର ଏହି ପ୍ରକ୍ରିୟାରେ ୨୦୦ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ ବୋଲି ଫ୍ରାଙ୍କଫର୍ଟର ପବ୍ଲିକ ପ୍ରସେକ୍ୟୁଟର କହିଛନ୍ତି। ଜର୍ମାନୀର ବାଭାରିଆ, ନର୍ଥ ରାଇନ୍‌- ଓ୍ବେଷ୍ଟଫାଲିଆ, ହେସେ, ଲୋୟର ସାକ୍ସୋନି ଓ ରିନ୍‌ଲାଣ୍ଡ- ପାଲଟିନେଟ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଛି।
ଫେଡେରେଶନର ୬ଜଣ ପୂର୍ବତନ ଓ ଏବେକାର ଅଫିସିଆଲଙ୍କ ବିରୋଧରେ କର୍ପୋରେଟ୍‌ ଓ ଟ୍ରେଡ୍‌ ଟ୍ୟାକ୍ସ ଫାଙ୍କିଥିବାର ଅଭିଯୋଗ ଆସିଛି। ଏହି ଅଧିକାରୀମାନେ ଜାଣଶୁଣି ଅର୍ଥ ଉପାର୍ଜନ ନେଇ ଭୁଲ୍‌ ତଥ୍ୟ ପ୍ରଦାନ କରିଥିଲେ। ୨୦୧୪ରୁ ୨୦୧୫ ମଧ୍ୟରେ ଜର୍ମାନୀ ସବୁ ଘରୋଇ ମ୍ୟାଚ୍‌ର ବିଜ୍ଞାପନ ସମ୍ପର୍କିତ ଆୟ ନେଇ ମିଛି ତଥ୍ୟ ପ୍ରଦାନ କରାଯିବାର ଅଭିଯୋଗ ଆସିଥିଲା। ଏହି ସମୟ ଅବଧିରେ ଜର୍ମାନ ଫେଡେରେଶନ ୪.୭ ମିଲିୟନ ୟୁରୋ ବା ୫.୫ ମିଲିୟନ ଆମେରିକୀୟ ଡଲାରର ଟ୍ୟାକ୍ସ ଫାଙ୍କିଥିବାର ସନ୍ଦେହ କରାଯାଉଛି। ଏହି ମାମଲାରେ କୌଣସି ବ୍ୟକ୍ତିଙ୍କ ନାମକୁ ସାର୍ବଜନୀନ କରାଯାଇନାହିଁ। ଏହି ସମୟରେ ଉଲ୍ଫଗ୍ୟାଙ୍ଗ୍‌ ନିଏର୍ସବାକ ଫେଡେରେଶନର ଅଧ୍ୟକ୍ଷ ଥିଲେ। ଅବଶ୍ୟ ୨୦୦୬ ବିଶ୍ୱକପ୍‌ ବିଡିଂ ପ୍ରକ୍ରିୟାରେ ତାଙ୍କର ଭୂମିକା ନେଇ ସେ ୨୦୧୫ରେ ପଦରୁ ଇସ୍ତଫା ଦେଇଥିଲେ। ଟ୍ୟାକ୍ସ ଫାଙ୍କିବା ନେଇ ଅଧିକାରୀମାନେ ଭଲଭାବେ ଅବଗତ ଥିଲେ ବୋଲି ପୂର୍ବରୁ କରାଯାଇଥିବା ତଦନ୍ତରୁ ଜଣାପଡିଥିଲା।

Share