ଥୁଆମୂଳ ରାମପୁର,୧୪ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ବଡ଼ବଫଲା ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟରେ ବ୍ୟାପକ ଅନିୟମିତତା, ଜାଲିଆତି ଏବଂ କୋଟି କୋଟି ଟଙ୍କା ହଡ଼ପ ଅଭିଯୋଗ ଆସିଛି। ନିଜ ପ୍ରାପ୍ତ ହକ୍ ଓ କାମ ଦାବି କରି ଗ୍ରାମର ଶହଶହ ହିତାଧିକାରୀ ହାତରେ ଜବକାର୍ଡ ଓ ଲିଖିତ ଅଭିଯୋଗ ପତ୍ର ଧରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବ୍ଲକ କାର୍ଯ୍ୟାଳୟରେ ବିଡିଓ ଧ୍ରୁବ ଚରଣ ମୁଦୁଲି ଅନୁପସ୍ଥିତ ଥିବାରୁ ଏପିଓ ଭକ୍ତ ସେଠୀ ଗ୍ରାମବାସୀଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗ୍ରାମରେ ଚାଲିଥିବା ଟ୍ରେଗର୍ ଟ୍ରେଞ୍ଚ କାମରେ ସ୍ଥାନୀୟ ଶ୍ରମିକମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପଞ୍ଚାୟତ ବା ବ୍ଲକର ଲୋକଙ୍କ ନାମରେ ଜାଲ୍ ମଷ୍ଟରରୋଲ ଓ ମିଥ୍ୟା ବିଲ ତିଆରି କରି କୋଟି କୋଟି ଟଙ୍କା ଆତ୍ମସାତ୍ କରାଯାଇଛି। ବଡ଼ବଫଲା ଗ୍ରାମର ତିନୋଟି ଓ୍ବାର୍ଡରେ ପ୍ରାୟ ୯୦୦ ଜଣ କୁଲି ମଜୁରିଆ ଥାଇ ମଧ୍ୟ ସେମାନଙ୍କୁ କାମ ଦିଆଯାଉନାହିଁ। କାମ ମାଗିଲେ ଜି୍ଆର୍ଏସ ଓ ଗାଁ ସାଥୀ ହିତାଧିକାରୀଙ୍କ ସହ ଗଣ୍ଡଗୋଳ କରିବା ସହ କାମରୁ ବଞ୍ଚିତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରକାର ଦେଉଥିବା ମାଗଣା ଚାଉଳ ଯୋଗୁ ପେଟ ପୋଷୁଥିଲେ ହେଁ, ସ୍ଥାନୀୟ ସ୍ତରରେ କାମ ନ ମିଳିବାରୁ ବାଧ୍ୟ ହୋଇ ଶହଶହ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେଠାରେ ଦୁର୍ଦ୍ଦଶା ଭୋଗି କିଏ ନିଖୋଜ ହେଉଛି ତ କିଏ ପ୍ରାଣ ହରାଉଛି, ପୁଣି କିଏ ସାହୁକାର ପାଖରେ ବନ୍ଧା ପଡ଼ୁଛି ବୋଲି ଗ୍ରାମବାସୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଘଟଣାର ଆସନ୍ତା ମଙ୍ଗଳବାର ସୁଦ୍ଧା ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଏପିଓ ସେଠୀ ପ୍ରତିଶ୍ରୁତି ଦେଇଥିବା ବେଳେ ଜିଆର୍ଏସ୍ ସୁଦର୍ଶନ ଛତ୍ରିଆ କହୁଛନ୍ତି ମୋତେ ଜାଣି ଶୁଣି ଗ୍ରାମବାସୀ ବଦନାମ ବା ଫସାଉଛନ୍ତି ମୋତେ ଗତ କିଛି ଦିନ ତଳେ କିଛି ଲୋକେ ଟଙ୍କା ମାଗିଥିଲେ ନ ଦେବାରୁ ଏଭଳି ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି।
ଅନ୍ୟପଟେ ଗାଁ ସାଥୀ ସଭାପତି ଗଣମାଧ୍ୟମକୁ ଏହି ଖବର ଚାପିଦେବା ପାଇଁ ଫୋନ କରି ଟଙ୍କାର ଲୋଭ ଦେଖାଉଥିବା ଘଟଣା ସାଧାରଣରେ ଆଲୋଚନା ଜୋର୍ ଧରିଛି l ଏହି ଅଭିଯୋଗପତ୍ରର ଏକକ ନକଲ କଳାହାଣ୍ଡି ଜିଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଲାଞ୍ଜିଗଡ଼ ବିଧାୟକ ଏବଂ କଳାହାଣ୍ଡି ଏମ୍ପିଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଯଦି ପ୍ରଶାସନ ପକ୍ଷରୁ ଶୀଘ୍ର କୌଣସି ବିହିତ ପଦକ୍ଷେପ ନ ନିଆଯାଏ, ତେବେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବାଧ୍ୟ ହୋଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।