ଡିଏଫଓଙ୍କ କ୍ୱାର୍ଟର ମରାମତିରେ ଅର୍ଥ ଅପବ୍ୟୟ ଅଭିଯୋଗ: ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ନୟାଗଡ ଅଫିସ,୧୪।୯: ନୟାଗଡ଼ ଡିଏଫଓଙ୍କ କ୍ୱାର୍ଟର ମରାମତି ଓ ନୟାଗଡ଼ ରେଞ୍ଜରଙ୍କ ପୁରୁଣା କାର୍ଯ୍ୟାଳୟ ସଫେଇରେ ଅର୍ଥ ଅପବ୍ୟୟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସରକାରୀ ଅନୁଦାନ ଖର୍ଚ୍ଚର ଠିକ୍‌ ସମୀକ୍ଷା ହେଉ ନ ଥିବାରୁ ଅପବ୍ୟୟକୁ ରୋକା ଯାଇ ପାରୁନି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଜଳନ୍ଧର ଜେନା ନାମକ ସାମାଜିକ କର୍ମୀ ଏହି ଅଭିଯୋଗ ଆଣି ତଦନ୍ତ ପାଇଁ ନିବେଦନ କରିଛନ୍ତି।
ସୂଚନା ଅଧିକାରରେ ମିଳିଥିବା ତଥ୍ୟ ଅନୁସାରେ ଡିଏଫଓଙ୍କ କ୍ୱାର୍ଟର ମରାମତି ଓ ନୂଆଘର ପାଇଁ ୧।୨।୨୦୧୩ରୁ ୩୧।୧୨।୨୦୧୯ ମଧ୍ୟରେ ୧୯ ଲକ୍ଷ ୬୫ ହଜାର ୯୫୪ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ପୁରୁଣା ନୟାଗଡ ରେଞ୍ଜର କାର୍ଯ୍ୟାଳୟ ସଫେଇ ପାଇଁ ୬ ଲକ୍ଷ ୪୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏନେଇ ସାମାଜିକ କର୍ମୀ ଜେନା କୁହନ୍ତି, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର ମରାମତିରେ ଅର୍ଥ ଅପବ୍ୟୟ ହେଉଛି। ହେଲେ ଏହାକୁ ରୋକା ଯାଇ ପାରୁନି। ସ୍ବଳ୍ପ କାମ କରାଯାଇ ଅଧିକ ଟଙ୍କାର ବିଲ୍‌ କରାଯାଉଛି। ଯାହାର ନଜୀର ନୟାଗଡ଼ ଡିଏଫଓଙ୍କ କ୍ୱାର୍ଟର ମରାମତି ଓ ନୟାଗଡ ରେଞ୍ଜରଙ୍କ ପୁରୁଣା କାର୍ଯ୍ୟାଳୟ ସଫେଇକୁ ଦେଖିଲେ ଜଣାପଡ଼େ। ନୟାଗଡ ଡିଏଫଓଙ୍କ କ୍ୱାର୍ଟର ମରାମତିରେ ଖର୍ଚ୍ଚ ହୋଇଥିବା ଟଙ୍କାରେ ନୂଆ ଘର ହୋଇ ପାରିଥାନ୍ତା। ଅନ୍ୟପକ୍ଷେ ନୟାଗଡ ରେଞ୍ଜରଙ୍କର ପୁରୁଣା କାର୍ଯ୍ୟାଳୟକୁ ଦୁର୍ବୃତ୍ତ ଭାଙ୍ଗି ଉପକରଣ ଲୁଟି ନେଇଥିଲେ। ପରେ ଅବଶିଷ୍ଟ ଅଂଶକୁ ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ଜେସବି ଲଗାଇ ସଫେଇ କରାଯାଇଥିଲା। ଏଭଳିସ୍ଥଳେ ୬ ଲକ୍ଷ ୪୮ ହଜାର ଟଙ୍କା ଖଚ୍ଚର ହିସାବ ସନ୍ଦେହ ସୃଷ୍ଟି କରିଛି। ଯାହାକି ତଦନ୍ତ ସାପେକ୍ଷ। ଅନ୍ୟପକ୍ଷରେ ସୂଚନା ଅଧିକାରରେ ନୟାଗଡ ରେଞ୍ଜର ସୁଶାନ୍ତ ସ୍ବାଇଁ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେଥିରେ ଅପବ୍ୟୟର ଗନ୍ଧ ଆସୁଛି। ଏ ସମ୍ପର୍କରେ ରେଞ୍ଜର ସ୍ବାଇଁ କୁହନ୍ତି, ରେଞ୍ଜରଙ୍କ ପୁରୁଣା କାର୍ଯ୍ୟାଳୟ ସଫେଇ ଓ ଡିଏଫଓଙ୍କ କ୍ୱାର୍ଟର ମରାମତିରେ ଅର୍ଥ ଅପବ୍ୟୟ ହୋଇନାହିଁ। ଯାହା କିଛି ହୋଇଛି ସରକାରୀ ନିୟମ ମୁତାବକ ହୋଇଛି।