କାକୁଡିଗଡ଼ିଆ ସଡ଼କ ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ତିହିଡ଼ି, ୨୩।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଅଧୀନ କାକୁଡିଗଡ଼ିଆ ଅଞ୍ଚଳରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌) ଅଧୀନରେ ଚାଲିଥିବା ସଡ଼କ ଉନ୍ନତିକରଣ କାମରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ଲକ୍ଷାଧିକ ଟଙ୍କା ବ୍ୟୟରେ ଚାଲିଥିବା ଏହି ପ୍ରକଳ୍ପରେ ସୂଚନା ଫଳକ ନ ଥିବା, ବିଭାଗୀୟ ତଦାରଖର ଅଭାବ ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି।

ଜିଲାରେ ଏସ୍‌ଡିଏମ୍‌ଏଫ୍‌ ଅଧୀନରେ ବିଭିନ୍ନ ବନ୍ୟା ପ୍ରତିରୋଧକ ସଡ଼କ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ କାକୁଡିଗଡ଼ିଆ ଅଞ୍ଚଳର କାମକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କାମ ସମ୍ପର୍କରେ ତଥ୍ୟ ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କ ଫୋନ୍‌ ଲାଗୁ ନ ଥିବାରୁ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କାମର ଗୁଣବତ୍ତା ଓ ନିୟମ ପାଳନକୁ ନେଇ ପ୍ରଶ୍ନ ଉଠାଇଲେ ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଏନେଇ ବିଭାଗୀୟ ଏସ୍‌ଡିଓ ରଞ୍ଜନ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଜନବଳ ଅଭାବ ଦର୍ଶାଇ ଦୁଇଟି ବ୍ଲକ ପାଇଁ ଜଣେ ଅଧିକାରୀ ଥିବା କଥା କହିଥିବା ଜଣାପଡ଼ିଛି। ତେବେ ଏହି ମନ୍ତବ୍ୟର ସ୍ୱାଧୀନ ସତ୍ୟତା ଯାଞ୍ଚ ହୋଇପାରିନାହିଁ।

ଅନ୍ୟପକ୍ଷରେ, ଅଭିଯୋଗ ଶୁଣିବା ପରିବର୍ତ୍ତେ କିଛି ଅଧିକାରୀ ଲୋକଙ୍କ ମତାମତକୁ ଗୁରୁତ୍ୱ ଦେଉ ନ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହା ସହ ସରକାରୀ ଅର୍ଥର ସଠିକ ବ୍ୟବହାର, କାମର ଗୁଣବତ୍ତା ଓ ନିର୍ଦ୍ଧାରିତ ମାନଦଣ୍ଡ ପାଳନ ହେଉଛି କି ନାହିଁ ଏବଂ କାହିଁକି ସୂଚନା ଫଳକ ଲଗାଯାଇନାହିଁ, ସେନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଜୋର ଧରିଛି।

ସ୍ଥାନୀୟ ବାସିନ୍ଦାଙ୍କ ମତରେ, ପ୍ରକଳ୍ପ ଆରମ୍ଭରୁ ସ୍ୱଚ୍ଛତା ଓ ନିୟମିତ ତଦାରଖ ରହିଥାନ୍ତା ତେବେ ଏଭଳି ଅଭିଯୋଗ ଉଠିନଥାନ୍ତା। ତେଣୁ ସମଗ୍ର ପ୍ରକଳ୍ପର ଭିଜିଲାନ୍ସ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share