ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ସେମାନେ ଘରକୁ ପହଞ୍ଚିବା ପରେ ପରିବାରରେ ଖୁସି ଦେଖାଯାଇଛି ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ସହିତ କମ୍ପାନୀରେ ନିଯୁକ୍ତି ପାଇଁ କିଛି ଲୋକ ତିରପୁରକୁ ନେଇଥିଲେ। ସମ୍ପୃକ୍ତ ଯୁବତୀମାନେ ସୋହେଲା ବ୍ଲକ୍ ଅଧୀନ କନାପାଲି ପଞ୍ଚାୟତର ବାରୁପାଲି ଓ କନାପାଲି ଗ୍ରାମ ଅଞ୍ଚଳର ଅଟନ୍ତି ।ତେବେ ସେଠାରେ ସେମାନଙ୍କୁ ତାଲିମ କିମ୍ବା ନିଯୁକ୍ତି ବଦଳରେ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଯୁବତୀମାନେ ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇ ଥିଲେ। ଫଳରେ ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ପ୍ରଶାସନର ସହଯୋଗ ଲୋଡିଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ଶ୍ରମ ବିଭାଗର ଏକ ଟିମ୍ ସମ୍ପୃକ୍ତ ଯୁବତୀଙ୍କ କିଛି ସଦସ୍ୟଙ୍କୁ ଧରି ତିରପୁର ଯାଇଥିଲେ । ସେଠାକାର ପ୍ରଶାସନର ସହଯୋଗରେ ଯୁବତୀମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଯୁବତୀମାନେ ହଟିଆ ସୁପର ଫାଷ୍ଟ ଯାତ୍ରୀବାହୀ ଟ୍ରେନ ଯୋଗେ ଆସି ବରଗଡ ରୋଡ୍ ରେଳ ଷ୍ଟେସନକୁ ମଧ୍ୟାହ୍ନରେ ପହଞ୍ଚି ଥିଲେ । ଅନ୍ୟ ପକ୍ଷରେ ମିଳିଥିବା ସୂଚନା ମୁତାବକ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଅଧିନରେ ମାଗଣା ଟେଲରିଂ ତାଲିମ ପାଇଁ ଯୁବତୀମାନଙ୍କୁ ପ୍ରଥମେ
କଟକ ନିଆଯାଇଥିଲା । ସେଠାରେ ୪୫ଦିନ ତାଲିମ ପରେ ଯୁବତୀମାନେ ଘରକୁ ଫେରିବାର ଥିଲା । ମାତ୍ର ତାଲିମ ଅବଧି ସରିବା ପରେ ସେମାନେ ଘରକୁ ଫେରି ନଥିଲେ। ଅପରପକ୍ଷେ ଯୁବତୀମାନଙ୍କୁ କଟକରୁ ତାମିଲନାଡୁର ତିରପୁରକୁ ପଠାଇ ଦିଆଯାଇଥିଲା । ସେଠାରୁ ଯୁବତୀମାନେ ଘରକୁ ଫେରିବା ପାଇଁ ଚାହୁଁଥିଲେ ସୁଦ୍ଧା ସେମାନଙ୍କୁ ସେହି ସୁଯୋଗ ଦିଆ ନ ଯାଇ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।