ସୀମାନ୍ତ ଗାଁର ସରକାରୀ ଜମି ଜବରଦଖଲ ଅଭିଯୋଗ: ଥାନା ଓ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା, ୭।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲା ସୀମାନ୍ତରେ ଥିବା ଦେଉଳଗୁଡ଼ି ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ। ବଲାଙ୍ଗୀର ଜିଲା ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ ଏହି ଛକ ନିକଟରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧଅଁରାଖମନ ଗ୍ରାମ ଅବସ୍ଥିତ। ଏହି ଗ୍ରାମର ସରକାରୀ ଜମିକୁ ବଲାଙ୍ଗୀର ଜିଲା ବାଗବାହାଲି ଗ୍ରାମର ଜଣେ ବ୍ୟକ୍ତି ଜବରଦଖଲ କରିଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀ ମ. ରାମପୁର ଥାନା ଓ କର୍ଲାମୁଣ୍ଡା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ନିଜ ଜମିରେ ଦୀର୍ଘବର୍ଷ ଧରି ଏକ ଦୋକାନ କରିଥିଲେ। ତେବେ କିଛିଦିନ ତଳେ ସେ ଦୋକାନ ଘରକୁ ଭାଙ୍ଗି ଦେଇଥିଲେ। ଏହାପରେ ନିଜ ଦୋକାନକୁ ଲାଗି ରହିଥିବା କଳାହାଣ୍ଡି ଜିଲାର ଧଅଁରାଖମନ ଗ୍ରାମର ସରକାରୀ ଜମି ଉପରେ ଘର ନିର୍ମାଣ ଆରମ୍ଭ କରିଛନ୍ତି। ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି। ଏପରିକି ସମ୍ପୃକ୍ତ ବ୍ୟକ୍ତି ଗ୍ରାମବାସୀଙ୍କ ବିରୋଧରେ ତୁଷୁରା ଥାନାରେ ପାଲଟା ଅଭିଯୋଗ କରିଥିବା ଗ୍ରାମବାସୀ କହିଛନ୍ତି।

ଏହି ଘଟଣାକୁ ନେଇ ଶନିବାର ଧଅଁରାଖମନ ଗ୍ରାମବାସୀ ମ. ରାମପୁର ଥାନାରେ ସମୂହ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ କର୍ଲାମୁଣ୍ଡା ତହସିଲଦାର ଅରୁଣ କୁମାର ବର୍ଗେଙ୍କୁ ସାକ୍ଷାତ କରି ଜମି ଜବରଦଖଲ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଛନ୍ତି।

ଅନ୍ୟପକ୍ଷରେ, ତହସିଲଦାର ଏହି ଅଭିଯୋଗ ଉପରେ ରିଶିଡ଼ା ରାଜସ୍ୱ ନିରୀକ୍ଷକ (ଆର୍‌ଆଇ)ଙ୍କୁ କ୍ଷେତ୍ରୀୟ ତଦନ୍ତ କରି ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ମେମୋ ନଂ. ୧୭୩୯ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଜମିର ସଠିକ୍‌ ମାପଚୁପ କରି ଜବରଦଖଲ ହଟାଇବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଧଅଁରାଖମନ ଗ୍ରାମର ଅନିରୁଦ୍ଧ ପୁଟେଲ, ଧବଳେଶ୍ୱର ଭୋଇ, ବଳଦେବ ଭୋଇ, ସୁରେନ୍ଦ୍ର ପୁଟେଲ, ଦଧିଚି ପୁଟେଲ, ନିଚିନ୍ଦ୍ର ଭୋଇଙ୍କ ସମେତ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି।

ଏ ସମ୍ପର୍କରେ କର୍ଲାମୁଣ୍ଡା ତହସିଲଦାର ଅରୁଣ କୁମାର ବର୍ଗେଙ୍କୁ ପଚାରିବାରୁ, ଅଭିଯୋଗ ମିଳିଛି ଏବଂ ରିଶିଡ଼ା ରାଜସ୍ୱ ନିରୀକ୍ଷକଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ସହ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share