ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାମ୍ନାକୁ ଆସିଛି ବଡ଼ ଅଭିଯୋଗ। ଖୋଦ୍ ପୂର୍ବତନ ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି।
ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ଆବାସ ଯୋଜନାରେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବାଦ ନ ପଡ଼ନ୍ତି। ମାତ୍ର ପାଳିବନ୍ଧ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏଡିଓ (ADO) ଦଣ୍ଡପାଣି ବେହେରା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ସର୍ଭେ କରିଥିବା ସମୟରେ ହିତାଧିକାରୀ ଚୟନ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ସେ ଦର୍ଶାଇଛନ୍ତି। ପ୍ରକୃତ ଗାଇଡ୍ଲାଇନ୍କୁ ଜଳାଞ୍ଜଳି ଦେଇ କେଉଁ ନିୟମରେ ଆବାସ ଗୃହ ପାଇଁ ସର୍ଭେ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।
କେବଳ ଆବାସ ଯୋଜନା ନୁହେଁ, ପଞ୍ଚାୟତରେ ବିନା ଗ୍ରାମସଭାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ସେହିପରି ମନରେଗା (MGNREGS) ଯୋଜନାରେ କୌଣସି ଆନୁଷ୍ଠାନିକ ମାପଚୁପ ବିନା କାର୍ଯ୍ୟ କରାଯାଉଥିବା ନେଇ ବ୍ଲକ ସାମାଜିକ ସମୀକ୍ଷା ଶିବିରରେ ନାୟବ ସରପଞ୍ଚ ପ୍ରଶ୍ନ କରିଥିଲେ ମଧ୍ୟ ସେଥିରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା।
ଏହି ସମଗ୍ର ବିଷୟରେ ମତାମତ ନେବା ପାଇଁ ଏଡିଓ ଦଣ୍ଡପାଣି ବେହେରାଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ରିସିଭ୍ କରିନଥିଲେ। ଅନ୍ୟପକ୍ଷରେ ବ୍ଲକ ବିଡ଼ିଓ (BDO) ଅଚ୍ୟୁତାନନ୍ଦ ଯାନୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ଅଭିଯୋଗ ଆଧାରରେ ପୁନଃ ସର୍ଭେ ପାଇଁ ୧୫ ଦିନର ସମୟ ଧାର୍ଯ୍ୟ କରାଯାଇଥିଲା। ଉକ୍ତ ସର୍ଭେ ତଦନ୍ତ ପରେ ଯଦି କୌଣସି ଦୁର୍ନୀତି ପଦାକୁ ଆସେ, ତେବେ ନିଶ୍ଚିତ ଭାବେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।