Categories: ରାଜ୍ୟ

ରାଜଧାନୀରେ ଶିଶୁବିକ୍ରି ଅଭିଯୋଗ

ଭୁବନେଶ୍ୱର,୯।୧୦(ବ୍ୟୁରୋ):ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିରେ ଶୁକ୍ରବାର ଜଣେ ନବଜାତ ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଓ ଚାଇଲ୍ଡଲାଇନ ସେଠାରେ ଚଢ଼ାଉ କରି ଏକ ଦମ୍ପତିଙ୍କଠାରୁ ଉକ୍ତ ଶିଶକୁ ଉଦ୍ଧାର କରିଛି। ଏଥିସହ ଶିଶୁ ବିକ୍ରିକୁ ନେଇ ହୋଇଥିବା ଆଇନଗତ ଚୁକ୍ତି ଦଲିଲ୍‌କୁ ଚାଇଲ୍ଡଲାଇନ୍‌ ଜବତ କରିଛି। ତେବେ ଶିଶୁପୁତ୍ର ବିକ୍ରି ଅଭିଯୋଗକୁ ତାଙ୍କ ମା’ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ ମୋ ଛୁଆକୁ ବିକ୍ରି କରିନାହିଁ। ଦମ୍ପତିଙ୍କ ପାଖରେ ରଖିବାକୁ ଦେଇଥିଲି।
ଚାଇଲ୍ଡଲାଇନ୍‌ ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତି, ଅତିରିକ୍ତ ସିଡବ୍ଲ୍ୟୁସି ଓ ଖୋର୍ଦ୍ଧା ଡିସିପିଓଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି। ଉଦ୍ଧାର ଶିଶୁପୁତ୍ରକୁ କୋଳଥିଆସ୍ଥିତ ସୁଭଦ୍ରା ମହତାବ ସେବା ସଦନ (ସ୍ପେଶାଲ ଆଡପ୍ସନ୍‌ ଏଜେନ୍ସି)ରେ ରଖାଯାଇଛି। ଏହି ଘଟଣାରେ ସିଡବ୍ଲ୍ୟୁସି ଅଧିକ ତଦନ୍ତ କରିବ। ନୟାପଲ୍ଲୀ ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି, ଶିଶୁପୁତ୍ରକୁ ବିକ୍ରି କରାଯାଇ ନାହିଁ। ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେ ଶିଶୁପୁତ୍ରକୁ ରଖିବାକୁ ଜଣେ ଦମ୍ପତିଙ୍କୁ ଦେଇଥିଲେ। ଉଦ୍ଧାର ଶିଶୁପୁତ୍ରକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ସ୍ଥାନୀୟ ଥାନା ବେହେରା ସାହିରେ ଜଣେ ମହିଳା ତାଙ୍କ ୩ ମାସର ଶିଶୁପୁତ୍ରକୁ ଜଣେ ଦମ୍ପତିଙ୍କୁ ୬୫୦୦ ଟଙ୍କାରେ ବିକ୍ରି କରିଥିବା ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପ୍ରଥମେ ସେଠାକୁ ଯାଇ ଶିଶୁପୁତ୍ରର ମା’ଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଖବର ପାଇ ଚାଇଲ୍ଡ ଲାଇନର ସଦସ୍ୟ ଥାନାରେ ପହଞ୍ଚତ୍ଥିଲେ। ଏହାପରେ ପୋଲିସ ଓ ଚାଇଲ୍ଡଲାଇନ୍‌ ସଦସ୍ୟ ବେହେରା ସାହିରେ ପହଞ୍ଚତ୍ ଦମ୍ପତିଙ୍କଠାରୁ ଶିଶୁପୁତ୍ରକୁ ଉଦ୍ଧାର କରି ଥାନାକୁ ଆଣିଥିଲେ।