ବୈଶିଙ୍ଗା, ୨୬।୧୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମେରଦା ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିବା ପରେ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଜଣେ ୧୫ ବର୍ଷୀୟା ନାବାଳିକା ଗର୍ଭବତୀ ହୋଇଥିବା ନେଇ ପରିବାର ଲୋକ ସନ୍ଦେହ କରିଥିଲେ। ଏନେଇ ପଚରାଉଚରା କରିବା ପରେ ନାବାଳିକାଜଣକ ସମସ୍ତ ଘଟଣା ନିଜ ମା’ଙ୍କୁ ଜଣାଇଥିଲେ। ଏହା ପରେ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ।
ମା’ଙ୍କ ଅଭିଯୋଗ ଆଧାରରେ ବୈଶିଙ୍ଗା ପୋଲିସ ପକ୍ଷରୁ ୬୪୨ ନମ୍ବରରେ ପୋକ୍ସୋ (POCSO) ଦଫାରେ ଏକ ମାମଲା ରୁଜୁ କରାଯାଇଥିଲା। ଥାନାଧିକାରୀ ବାବା ଶଙ୍କର ସରାଫ ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଚଳାଇ ବୁଧବାର ରାତିରେ ଅଭିଯୁକ୍ତ ୨୬ ବର୍ଷୀୟ ପଙ୍କଜ ଡାଗରାଙ୍କୁ ଗିରଫ କରିଥିଲେ।
ଗୁରୁବାର ଉଭୟ ନାବାଳିକା ଓ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯିବା ପରେ ଅପରାହ୍ନରେ ପଙ୍କଜଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।