ଜଳେଶ୍ୱରରେ ଚାଞ୍ଚଲ୍ୟ! ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ, ଗଳିତ ମୃତଦେହ ଉଦ୍ଧାର

ଜଳେଶ୍ୱର,୨୨ା୧୦( ନବୀନ ସାହୁ): ନାମ୍ପୋ ଫାଣ୍ଡି ଅନ୍ତର୍ଗତ ବର୍ତନା ପଞ୍ଚାୟତର ଶୁଳଶଣ୍ଡା ଓ ବର୍ତନା ଗ୍ରାମ ମଧ୍ୟବର୍ତ୍ତୀ ରାସ୍ତା ପାର୍ଶ୍ୱରେ ଥିବା ଏକ ଢେରାପଦା ଗ୍ରାମର ଜମିରେ ଗଛ ନିକଟରୁ ଗୁରୁବାର ସକାଳେ ଜଣେ ନାବାଳିକାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ମୃତ ନାବାଳିକା ହେଲେ ଦୀପିକା ଜେନା (୧୪) । ସେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନା ଅନୁଯାୟୀ, ଦୀପିକାଙ୍କ ପିତା ଅରୁଣ ଜେନା ପୈତୃକ ଗ୍ରାମ ଝାଡପିମ୍ପଳ ହୋଇଥିବାବେଳେ ସେ ଗତ ୧୦ ବର୍ଷ ଧରି ପରିବାର ସହିତ ଖୁଲୁଡ଼ା ପଞ୍ଚାୟତର ଗୌରୀ ବେଲଦା ଗ୍ରାମରେ ରହିଆସୁଥିଲେ। ଦୀପିକା ଗତ ଅକ୍ଟୋବର ୧୬ ତାରିଖରୁ ନିଖୋଜ ଥିଲେ। ତାଙ୍କର ଗଳିତ ଶବ ଉଦ୍ଧାର ହେବା ପରେ ଘଟଣାଟି ଏକ ରହସ୍ୟମୟ ମୋଡ଼ ନେଇଛି । ଶବ ନିକଟରୁ ଏକ ବାଇକ୍‌ର ଚାବି ଓ ନାବାଳିକାଙ୍କ ଜୋତା ମିଳିଥିବା ଜଣାପଡ଼ିଛି । ଶବରୁ ଦୁର୍ଗନ୍ଧ ବାହାରିବା ରୋକିବା ପାଇଁ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପକ୍ଷରେ, ଦୀପିକାଙ୍କ ପିତା ଅରୁଣ ଜେନା ବର୍ତନା ପଞ୍ଚାୟତର ସୁଲତାନପୁର ଗ୍ରାମର ଶଶିକାନ୍ତ ଜେନାଙ୍କ ପୁଅ କାହ୍ନୁଚରଣ ଜେନା (୨୨)ଙ୍କ ବିରୋଧରେ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ, ନାବାଳିକାଙ୍କ ମୃତ୍ୟୁ ପଛର ପରିସ୍ଥିତି ଏବଂ ଅଭିଯୋଗର ସତ୍ୟତା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

 

Dharitri – Odisha’s No.1 Odia Daily

Share