ନାଲ୍‌କୋରେ ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଦେବଗଡ଼,୨୮ା୮(ଶେଖର ଝାଙ୍କର): ନାଲ୍‌କୋରେ ଚାକିରି ଦେବାକୁ କହି ଜଣେ ଦୁର୍ବୃତ୍ତ ଦେବଗଡ଼ ଜିଲା ହଦମୁଣ୍ଡା ଗ୍ରାମର ଜଣେ ଯୁବକଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛ।

ସୂଚନାନୁଯାୟୀ ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ହଦମୁଣ୍ଡା ଗ୍ରାମର କଇରୁ ପରିଡ଼ାଙ୍କ ବଡ଼ପୁଅ ଦେବାନନ୍ଦ ଅନୁଗୋଳ ଜିଲା ତାଳଚେର ନକେଇପଶି ଅଞ୍ଚଳରେ ଏକ ଅଟୋରିକ୍ସା ରଖି ପରିବାର ଚଳାଉଥିବା ବେଳେ ବେରୋଜଗାରିଆ ସାନପୁଅ ସାନନ୍ଦ ଗାଁ (ହଦମୁଣ୍ଡା)ରେ ରହନ୍ତି। ଏକଥା ଜାଣିବା ପରେ ତାଳଚେର ଅଞ୍ଚଳର ସିପୁନ ଦାସ ନାମକ ଜଣେ ଯୁବକ ସାନନ୍ଦଙ୍କୁ ନାଲକୋରେ ଆଟେଣ୍ଡାଣ୍ଟ ଭାବେ ଚାକିରିରେ ରଖାଇ ଦେବେ ବୋଲି ଦେବାନନ୍ଦଙ୍କୁ ଫୋନ ଯୋଗେ ପ୍ରତିଶ୍ରୁତି ଦେଇଥିଲେ। ଦେବାନନ୍ଦ ଏଥିରେ ରାଜି ହେବାରୁ ସିପୁନ ସାନନ୍ଦଙ୍କୁ ଫୋନ କରି ଡକାଇବା ସହ ୨ଲକ୍ଷ ଟଙ୍କା ଧରି ଆସିଲେ ନାଲକୋରେ ଆଟେଡାଣ୍ଟ ପୋଷ୍ଟରେ ଚାକିରି ଦେବି ବୋଲି କହିଥିଲେ । ଫଳରେ ସାନନ୍ଦ ଋଣ ଆଣି ଗତ ଜୁନ୍‌ ୬ ତାରିଖରେ ସିପୁନକୁ ଫୋନ ପେ’ ଯୋଗେ ପ୍ରଥମ ପର୍ଯ୍ୟାୟରେ ୯୫ ହଜାର ଟଙ୍କା ଓ ନଗଦ ୧ ଲକ୍ଷ ୫ ହଜାର ଟଙ୍କା ମିଶାଇ ମୋଟ ୨ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ମାତ୍ର ଚାକିରି ଦେବା ପରିବର୍ତ୍ତେ ସିପୁନ ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲେ। ଏହି କ୍ରମରେ ସିପୁନ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ‘ସାର୍‌’ ବୋଲି ଦର୍ଶାଇବା ସହ ସେ ଉକ୍ତ ଟଙ୍କା ସମ୍ପୃକ୍ତ ‘ସାର୍‌’ଙ୍କୁ ଦେଇଥିବା ଦର୍ଶାଇ ‘ସାର୍‌’ ତୁମକୁ ଫୋନ କରିବେ ବୋଲି ସାନନ୍ଦଙ୍କୁ କହିଥିଲେ ଓ ତଥା କଥିତ ‘ସାର୍‌’ ଙ୍କ ନମ୍ବରରୁ ସାନନ୍ଦଙ୍କ ନିକଟଙ୍କୁ ଫୋନ୍‌ କଲ ମଧ୍ୟ ଆସିଥିଲା । ମାତ୍ର ସାନନ୍ଦଙ୍କୁ ଚାକିରି ନ ମିଳିବାରୁ ସିପୁନଙ୍କୁ ସାନନ୍ଦ ବାରମ୍ବାର ଫୋନ କରିଥିଲେ ହେଁ ସିପୁନ ତାଙ୍କୁ ଠକି ଚାଲିଥିଲେ। ଶେଷରେ ସିପୁନ ତଥା କଥିତ ‘ସାର୍‌’ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିବା ସାନନ୍ଦଙ୍କୁ ସୂଚନା ଦେଇଥିଲେ। ଏହାର ୧୦ ଦିନ ପରେ ତଥା କଥିତ ‘ସାର୍‌’ଙ୍କର ମୃତ୍ୟୁ ଘଟିଥିବା ଦର୍ଶାଇବା ସହ ଶ୍ରାଦ୍ଧ କାର୍ଯ୍ୟ ଶେଷ ହେବାପରେ ‘ମାଡାମ’ ତୁମକୁ ଟଙ୍କା ଫେରାଇ ଦେବେ କହି ଠକି ଦେଇଥିଲେ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ସାନନ୍ଦ ରବିବାର ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।