ଭୁବନେଶ୍ବର,୨୪।୬: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗୁଣ୍ଡିଚା ଓ ବାହୁଡ଼ା ଦିନ ଟୋଲ୍ ଫି’ ଆଦାୟକୁ ସ୍ଥଗିତ ରଖାଯିବା ନେଇ ଘୋଷଣା କରାଯାଇଛି ।
ବସ୍ ମାଲିକ ସଂଘ ସା. ସମ୍ପାଦକଙ୍କ କହିବା ଅନୁସାରେ, ପିପିଲି ଟୋଲ୍ ଗେଟ୍ରେ କୌଣସି ଯାନକୁ ଫି ଦେବାକୁ ପଡିବ ନାହିଁ । ରଥଯାତ୍ରା ବେଳେ ଲୋକଙ୍କ ଆବଶ୍ୟକତା ଦେଖି ଦିନରାତି ବସ୍ ଚାଲିବ । ମାଳତିପାଟପୁରରେ ବାହାର ଗାଡ଼ି ପାର୍କିଂ କରାଯିବ । ତାଳବଣିଆରେ ସ୍ଥାନୀୟ ଗାଡ଼ି ଓ ସ୍ବତନ୍ତ୍ର ଅନୁମତି ପ୍ରାପ୍ତ ଗାଡ଼ି ପାର୍କିଂ ହେବ । ରାଜ୍ୟର ପ୍ରାୟ ୬ ଶହ ଓ ବାହାର ରାଜ୍ୟକୁ ମିଶାଇ ହଜାରେ ବସ୍ ଚାଲିବା ନେଇ ସୂଚନା ଦିଆଯାଇଛି ।