ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ ଟିକା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଚାଲିଥିବା ଟିକାକରଣରେ ଶିକ୍ଷକମାନଙ୍କୁ ଅଗ୍ରାଧିକାର ଦିଆଯିବ। ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଚିଠି ଲେଖିବା ପରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କେତେ ଶିକ୍ଷକ ଟିକା ନେଇଛନ୍ତି ଏବଂ କେତେ ନେଇନାହାନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ ପାଇଁ ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ବତନ୍ତ୍ର ଡ୍ରାଇଭ୍‌ ଜରିଆରେ ୟୁ-ଡାଇସ ପ୍ଲସ୍‌ ସଫ୍ଟେୱେର ମାଧ୍ୟମରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ସମନ୍ବୟରେ ଟିକାକରଣ କରାଯିବ। ଏଥିପାଇଁ ଆସନ୍ତା ୨୭ ତାରିଖରୁ ଅତିରିକ୍ତ ୧୧ ଲକ୍ଷ ଟିକା ଆସିବା ପରେ ଟିକାକରଣ କାର୍ଯ୍ୟ ଆରମ୍ଭ ହେବ। ଏହି ୧୧ ଲକ୍ଷ ମଧ୍ୟରୁ ୯ ଲକ୍ଷ ୯୨ ହଜାର ୩୮୦ କୋଭିସିଲଡ୍‌ ଓ ୧ ଲକ୍ଷ ୨୪ ହଜାର କୋଭାକ୍ସିନ ଟିକା ଆସିବ। ସେପ୍ଟେମ୍ବର ୫ ମଧ୍ୟରେ ସମସ୍ତ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। କରୋନା ମହାମାରୀର ତୃତୀୟ ଲହର ଆସିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଲେଣି। ଏପରିସ୍ଥଳେ ରାଜ୍ୟର ୧୩ ଲକ୍ଷ ଲୋକଙ୍କୁ ଏବେ ସୁଦ୍ଧା କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇ ପାରିନାହିଁ। ସ୍ବାସ୍ଥ୍ୟବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୧୨ ଲକ୍ଷ ୯୫ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ଅପେକ୍ଷା କରି ରହିଛନ୍ତି। ତେବେ ଏତେ ସଂଖ୍ୟକ ଲୋକ କିପରି ସେମାନଙ୍କ ଦ୍ୱିତୀୟ ଡୋଜ ନେଇ ପାରିଲେ ନାହିଁ ସେ ବିଷୟରେ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ସୁଦ୍ଧା ରାଜ୍ୟରେ ତୃତୀୟ ଲହର ଆସିବା ନେଇ ଆଶଙ୍କା ରହିଛି। ସେହି ସମୟରେ ଦୈନିକ ସଂକ୍ରମଣ ୧୪ ହଜାର ଟପିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁମାନ କରୁଛନ୍ତି। ଏଥିରେ ଶିଶୁମାନେ ମଧ୍ୟ ଅଧିକ ସଂଖ୍ୟାରେ ସଂକ୍ରମିତ ହେବାର ସମ୍ଭାବନା ରହିଛି।