ଖୋର୍ଦ୍ଧାରେ ୨ ଦିନ ସମସ୍ତ ସ୍କୁଲ ଛୁଟି

ଖୋର୍ଦ୍ଧା,୧୮ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ରାଜ୍ୟରେ ୧୭ରୁ ୨୩ ନଭେମ୍ବର ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସ୍କୁଲକୁ ଦୁଇଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଖୋର୍ଦ୍ଧା ପକ୍ଷରୁ ନଭେମ୍ବର ୧୯ ଓ ୨୦ ତାରିଖରେ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଏଭିଏସ୍‌ ଏବଂ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ଅଫିସ ଅର୍ଡର ନଂ ୫୦୭୦, ତା.୧୮.୧୧.୨୦୨୬ରେ ନିର୍ଦ୍ଦେଶ ଜାରି ହୋଇଛି।

ଏହି ନିର୍ଦ୍ଦେଶ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ। ତେବେ ସ୍କୁଲ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀ ମାନେ ପ୍ରତିଦିନ ସ୍ବାଭାବିକ ଭାବେ ସ୍କୁଲରେ ଉପସ୍ଥିତ ରହିବେ। ଏହି ସମୟ ମଧ୍ୟରେ କୌଣସି କର୍ମଚାରୀଙ୍କୁ ଛୁଟି ମଞ୍ଜୁର କରାଯିବ ନାହିଁ।

ସମ୍ଭାବ୍ୟ ବିପର୍ଯ୍ୟୟ ସ୍ଥିତିରେ ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ଉପଯୋଗୀ କରିବା ସହ ଆବଶ୍ୟକ ସୁବିଧା ସୁଯୋଗ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ୧୯ ଓ ୨୦ ତାରିଖରେ ୨୪ ଘଣ୍ଟିଆ ବିଦ୍ୟାଳୟ ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବା ସହ ଯେକୌଣସି ସମୟରେ ଜିଲା ପ୍ରଶାସନକୁ ସହଯୋଗ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

Dharitri – Odisha’s No.1 Odia Daily

Share