ସବୁ ଆର୍‌ଟିଓରେ ହେବ ସ୍ବତନ୍ତ୍ର ସିଙ୍ଗଲ୍‌ ୱିଣ୍ଡୋ କାଉଣ୍ଟର୍‌

କଟକ ଅଫିସ,୧୬ା୭: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ଗୁଡ଼ିକରେ ପ୍ରାୟତଃ ସବୁ ସମୟରେ ଭିଡ଼ ଜମୁଥିବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଆବେଦନରେ ସମସ୍ୟା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଆର୍‌ଟିଓରେ ସ୍ବତନ୍ତ୍ର ସିଙ୍ଗଲ୍‌ ଓ୍ବିଣ୍ଡୋ କାଉଣ୍ଟର୍‌ ଖୋଲିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବୁଧବାର ବିଭାଗ ପକ୍ଷରୁ ପରିବହନ କମିଶନର୍‌ଙ୍କୁ ଚିଠି ଲେଖାଯାଇଛି। ତୁରନ୍ତ ସମସ୍ତ ଆର୍‌ଟିଓରେ ଏହି ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୦ ତାରିଖରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ରାଜ୍ୟସ୍ତରୀୟ ଉପଦେଷ୍ଟା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରିବହନ କାର୍ଯ୍ୟାଳୟଗୁଡ଼ିକରେ ଦିବ୍ୟାଙ୍ଗମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେନେଇ ଆଲୋଚନା କରାଯାଇଥିଲା। ସ୍ବତନ୍ତ୍ର ସିଙ୍ଗଲ୍‌ ଓିଣ୍ଡୋ କାଉଣ୍ଟର୍‌ ଖୋଲିବା ପାଇଁ ପରିବହନ ବିଭାଗକୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ପରିବହନ ବିଭାଗକୁ ଚିଠି ଲେଖାଯାଇଥିଲା। ବିଭାଗ ସ୍ତରରେ ଏହି ପ୍ରସ୍ତାବ ଉପରେ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଅନୁଯାୟୀ ବୁଧବାର ପରିବହନ କମିଶନର୍‌ଙ୍କୁ ଚିଠି ଲେଖାଯାଇଛି।