Categories: ମେଟ୍ରୋ

ସବୁ ବୃକ୍ଷଚେରରେ ଔଷଧୀୟ ଗୁଣ ରହିଛି

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଏପରି କୌଣସି ବୃକ୍ଷର ଚେର ନାହିଁ ଯାହାର ଔଷଧୀୟ ଗୁଣ ନାହିଁ। ସବୁ ଚେରରେ ହିଁ ଔଷଧୀୟ ଗୁଣ ଭରି ରହିଛି। ଔଷଧୀୟ ବୃକ୍ଷକୁ ଠିକ୍‌ ଭାବେ ଚିହ୍ନଟ କରି ତାହାକୁ ଠିକ୍‌ ଉପଯୋଗ ପାରିଲେ ମାରାତ୍ମକ ରୋଗରୁ ଉପଶମ ମିଳିଥାଏ। ଶୁକ୍ରବାର ପଞ୍ଚଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଫେବୃୟାରୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ପ୍ରଧାନ ବନ ସଂରକ୍ଷକ ଓ ଜଙ୍ଗଲବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ଆୟୁର୍ବେଦ ବିଜ୍ଞାନ ଉପରେ ତଥ୍ୟଭିତ୍ତିକ ମତ ଉପସ୍ଥାନ କରିଥିଲେ। ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ଅଧିକ ଆଦୃତି ଲାଭ କରିଥିଲେ ମଧ୍ୟ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାକୁ ଅବମାନନା କରିବା ଉଚିତ ନୁହେଁ ବୋଲି ବିଶ୍ୱାଳ କହିଛନ୍ତି। ସେହିପରି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ନୋଡାଲ) ଡ. କୁଞ୍ଜବିହାରୀ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଓଡିଶା ଔଷଧୀୟ ଉଦ୍ଭିଦର ଗନ୍ତାଘର। ଆଇଁଷକାତି (ସଦାବିହାରୀ) ଫୁଲକୁ ପୂଜାରେ ବ୍ୟବହାର କରାଯାଉ ନ ଥିଲେ ମଧ୍ୟ ଏହାର ଔଷଧୀୟ ଗୁଣ ବିଷୟରେ ସେ ବିସ୍ତୃତ ସୂଚନା ଦେଇଥିଲେ। ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସୁଦୀପ ନାୟକ ହର୍ବାଲ ମେଳାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।
ମେଳାରେ ରାଜ୍ୟ ତଥା ବାହାରୁ ବୈଦ୍ୟ ଓ କବିରାଜମାନେ ଔଷଧୀୟ ବୃକ୍ଷଲତା ସହ ଅଂଶଗ୍ରହଣ କରିଛନ୍ତି। ସେହିଭଳି ଔଷଧୀୟ ବୃକ୍ଷ ଚାଷ କରୁଥିବା ଚାଷୀ, ପ୍ରାଥମିକ ସଂଗ୍ରହକାରୀ, ବନ ସୁରକ୍ଷା ସମିତି ସଭ୍ୟ, ପାରମ୍ପରିକ ଚିକିତ୍ସକ, ବ୍ୟବସାୟୀ, ବେସରକାରୀ ସଂଗଠନ, ଔଷଧ ପ୍ରସ୍ତୁତକାରୀ ଓ ରପ୍ତାନିକାରୀ ଯୋଗ ଦେଇଛନ୍ତି। ପ୍ରାୟ ୧୩୦ଟି ଷ୍ଟଲ୍‌ରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ରୋଗର ଚିକିତ୍ସା ପାଇଁ ପାରମ୍ପରିକ ତଥା ଆର୍ୟୁବେଦିକ ପରାମର୍ଶ ଦିଆଯାଉଛି। ଅମ୍ଳପିତ୍ତ, ମଧୁମେହ, ଆମବାତ, ଗଣ୍ଠିବାତ, ଶ୍ୱାସରୋଗ, ସ୍ତ୍ରୀ ରୋଗ, ଉଚ୍ଚ ରକ୍ତଚାପ, ହୃଦରୋଗ ଆଦି ଉପରେ ଆଲୋଚନାଚକ୍ର ଓ ସମ୍ମିଳନୀ ଆୟୋଜିତ ହେଉଛି। ସେହିପରି ବିରଳ ତଥା ବିଲୁପ୍ତ ପ୍ରାୟ ଔଷଧୀୟ ଉଦ୍ଭିଦର ପ୍ରଦର୍ଶନୀର ଆଯୋଜନ କରାଯାଇଛି। ଦୈନନ୍ଦିନ ଜୀବନରେ ଔଷଧୀୟ ଉଦ୍ଭିଦର ଉପଯୋଗିତା ସମ୍ପର୍କରେ ସୂଚନା ମିଳିପାରୁଛି। ପ୍ରଥମ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଥିଲେ। ଓଡ଼ିଶୀନୃତ୍ୟ ଚିତ୍ତାକର୍ଷକ ହୋଇଥିଲା।