ପଟ୍ଟାଙ୍ଗି, ୨୨।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆରେ ଆନ୍ଧ୍ର ତାହାର ପଞ୍ଚାୟତ ନିର୍ୱାଚନ କରିବ। ଆନ୍ଧ୍ର ପକ୍ଷରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲର ବୁଧବାର ପ୍ରଥମ ଦିନରେ ୧୮ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। କୋଟିଆ ପଞ୍ଚାୟତ ଉପରସେମ୍ୱି ଗାଁର ତାଡିଙ୍ଗି ଚିରଞ୍ଜିବ ଟିଡିପି, ପାନୁକୁବାଲସା ଗ୍ରାମର ମାଝି କାନପୁରୀ ଓ୍ୱାଇଏସ୍ଆର୍ସିପି ଦଳ ପକ୍ଷରୁ ଦାଖଲ କରିଥିବା ଜଣାପଡ଼ିଛି। ତେବେ ଏହି ନିର୍ୱାଚନକୁ ରୋକିବାକୁ ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରଶାସନିକ ଅଧିକାରୀମାନେ ବୁଧବାର ଏକ ବୈଠକ କରିଛନ୍ତି।
ବୈଠକରେ ପଟ୍ଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, କୋରାପୁଟ ଏମ୍ପି ସପ୍ତଗିରି ଉଲାକାଙ୍କ ପ୍ରତିନିଧି ଶୁକ୍ରା ଖରା, ଭାଜପା ବ୍ଲକ ସଭାପତି ନରସିଂହ ବାଙ୍କା, କଂଗ୍ରେସ ବ୍ଲକ ସଭାପତି ଅର୍ଜୁନ ବାଙ୍କା, ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, କୋଟିଆ ଦାୟିତ୍ୱରେ ଥିବା ଓଏସ୍ଡି ସୌରଭ ଦାସ, ଜିଲାପରିଷଦ ସଦସ୍ୟ ତଥା ରାଜ୍ୟ ବିଜେଡି ଆଦିବାସୀ ସେଲ୍ ସମ୍ପାଦକ ଲଇଛନ ଖରା, ଜିଲାପରିଷଦ ସଦସ୍ୟା ଟିକାଇ ଗେମେଲଙ୍କ ସମେତ ବିଭିନ୍ନ ଦଳର ନେତୃବୃନ୍ଦ ଓ ସରକାରୀ
କର୍ମଚାରୀ ଉପସ୍ଥିତ ଥିଲେ। ଓଡ଼ିଶାର ଭୂସମ୍ପତ୍ତି ଏବଂ ଖଣିଜ ସମ୍ପଦ ଉପରେ ଆନ୍ଧ୍ର ଲୋଲୁପ ଦୃଷ୍ଟି ରଖି ସୀମାନ୍ତ ଅଞ୍ଚଳରେ ଏଭଳି ନିର୍ୱାଚନ କରି ସୁପ୍ରିମକୋର୍ଟର ଟାଟସକୋକୁ ଉଲଘଂନ କରୁଛି। ଏହାକୁ ମିଳିମିଶି ପ୍ରତିବାଦ କରିବାକୁ ହେବ ବୋଲି ବିଧାୟକ କାଡାମ କହିଥିଲେ। ସେହିପରି ଦଳମତ ନିର୍ୱିଶେଷରେ ସର୍ୱଦଳୀୟ ନେତୃବୃନ୍ଦ ଏକଜୁଟ ହୋଇ ଆନ୍ଧ୍ରର ଏହି ଚକ୍ରାନ୍ତକୁ ସମ୍ପୂର୍ଣ୍ଣ ଭଣ୍ଡୁର କରିବାକୁ ରାଜ୍ୟ ବିଜେଡି ଆଦିବାସୀ ସେଲ୍ ସମ୍ପାଦକ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଥିବା ବେଳେ ଉପସ୍ଥିତ ସରକାରୀ ଅଧିକାରୀ ଓ ଦଳୀୟ ନେତାମାନେ ଏଥିରେ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଆନ୍ଧ୍ର ନିର୍ୱାଚନକୁ ଦୃଷ୍ଟିରେ ରଖି କୋଟିଆ ପଞ୍ଚାୟତ ନୋଡାଲ୍ ଅଧିକାରୀ ତଥା ଉପଜିଲାପାଳ ଫବି ରସିଦ ବୁଧବାର କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ଛନ୍ତି। ସେଠାରେ ତହସିଲଦାର ଧାରୁଆ ଏବଂ ଓଏସ୍ଡି ଅଫିସର ସୌରଭ ଦାସ ଓ ଅନ୍ୟ ଅଧିକାରୀଙ୍କ ସହ ରହି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି।